ଭୁବନେଶ୍ୱର: ଆଜି ପବିତ୍ର ବାରୁଣୀ ସ୍ନାନ । ଏହି ପବିତ୍ର ତିଥିରେ ଯାଜପୁରର ଦଶାଶ୍ୱମେଧଘାଟରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି । ଏହା ସହିତ ଯାଜପୁରର ବୈତରଣୀ ତୀରରେ ବୁଡ଼ ପକାଇ ଶୁଭ ମନାସିଛନ୍ତି ଶ୍ରଦ୍ଧାଳୁ । ପବିତ୍ର ବୈତରଣୀ ନଦୀରେ ବୁଡ଼ ପକାଇ ପିତୃପୁରୁଷଙ୍କ ଉଦେଶ୍ୟରେ ପିଣ୍ଡ ଦିଆଯାଇଛି । ଏହି ପବିତ୍ର ତିଥିରେ ପୁଣ୍ୟତୋୟା ବୈତରଣୀରେ ବୁଡ଼ ପକାଇବାକୁ ରାଜ୍ୟର ବହୁ ସ୍ଥାନ ତଥା ରାଜ୍ୟ ବାହାରୁ ମଧ୍ୟ ଶ୍ରଦ୍ଧାଳୁ ମାନଙ୍କ ସମାଗମ ହୋଇଥାଏ ।
ଚଳିତ ବର୍ଷ ବାରୁଣୀ ସ୍ନାନର ନିର୍ଘଣ୍ଟ ୨୬ ତାରିଖ ରାତ୍ର ୧୧ଟା ୪୮ ଠାରୁ ୨୭ ତାରିଖ ଦିନ ୮ଟା ୧୨ ପର୍ଯ୍ୟନ୍ତ ରହିଛି । ଶ୍ରଦ୍ଧାଳୁଙ୍କ ସମାଗମ ଫଳରେ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହା ସହିତ ଘାଟର ପରିସ୍କାର ପରିଛନ୍ନତାକୁ ଅଗ୍ରାଧିକାର ଦିଆଯାଇଥିବା ବେଳେ, ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ଏନେଇ ଯାଜପୁର ଜିଲ୍ଲା ପ୍ରଶାସନ, ପୋଲିସ ଓ ପୌର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ଥ କରାଯାଇଛି ।