କନ୍ଧମାଳ: କାର ଓ ବାଇକ ମୁହାଁ ମୁହିଁ ଦୁର୍ଘଟଣା ଘଟି ତିନି ଜଣଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରୀ ଥାନା ଅନ୍ତର୍ଗତ ଶ୍ରୀକଲାଘାଟିରେ ମାରୁତି କାର ସହ ଏକ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ତିନି ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । କାରଟି ଜି ଉଦୟଗିରୀରୁ ରାଇକିଆ ଅଭିମୁଖେ ଯାଉଥିବାବେଳେ ବିପରୀତ ଆଡ଼ୁ ଏକ ବାଇକ୍ ରେ ତିନି ଜଣ ରାଇକିଆରୁ ଜି. ଉଦୟଗିରୀ ଅଭିମୁଖେ ଯାଉଥିବା ବେଳେ ଶ୍ରିପଲା ଘାଟିରେ ଦୁର୍ଘଟଣା ଘଟିଥିଲା। ଯାହା ଫଳରେ ବାଇକରେ ଥିବା ତିନି ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା l
ତିନି ମୃତକ ହେଲେ କଳିଙ୍ଗାର ଶୁଭମ୍ ପ୍ରଧାନ, ଗଦିଙ୍ଗିଆର ଶଙ୍କର ପ୍ରଧାନ ଓ ଶ୍ରିହରୀ ପ୍ରଧାନ l ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକ ମାନଙ୍କୁ ଉଦ୍ଧାର କରିବା ସହିତ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି । ମାରୁତି କାର୍ ଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଚାଳକ ଫେରାର ଥିବା ପୋଲିସ କହିଛି।