ଭଦ୍ରକ ଧାମରାସ୍ଥିତ ଅବଦୁଲ କଲାମ୍ ଦ୍ଵୀପରୁ ଗତକାଲି ବହୁ ଦୂରଗାମୀ ଯୁଦ୍ଧପୋତ ବିଧ୍ୱଂସକାରୀ କ୍ଷେପଣାସ୍ତ୍ର(ଏଲ୍ଆରଏଏସଏମ)ର ସଫଳ ପରୀକ୍ଷଣ ହୋଇଛି। ଡିଆରଡିଓର ବରିଷ୍ଠ ଅଧିକାରୀ ଓ ପ୍ରତିରକ୍ଷା ବୈଜ୍ଞାନିକଙ୍କ ଉପସ୍ଥିତିରେ ପୂର୍ବାହ୍ନ ୧୦ଟାରେ ଏହି କ୍ଷେପଣାସ୍ତ୍ରକୁ ୪ ନମ୍ବର ଲଞ୍ଚପ୍ୟାଡ୍ରୁ ଉତକ୍ଷେପଣ କରାଯାଇଥିଲା। ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ (ଡିଆରଡିଓ) ଦ୍ଵାରା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ବିଧ୍ୱଂସକାରୀ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦୀ କ୍ଷମତା ୧୭୦୦ କିଲୋମିଟର ପର୍ଯ୍ୟନ୍ତ ରହିଛି। ସ୍ବଦେଶୀ ଜ୍ଞାନକୌଶଳକୁ ଉପଯୋଗ କରି ଭାରତ ଏହି କ୍ଷେପଣାସ୍ତ୍ର ପ୍ରସ୍ତୁତ କରିଥିବା ବେଳେ ଏହା ପୂର୍ବରୁ ଶବ୍ଦଠାରୁ ୩ ଗୁଣ ବେଗରେ ଗତି କରୁଥିବା ସୁପରସୋନିକ୍ କ୍ଷେପଣାସ୍ତ୍ର ‘ବ୍ରାହ୍ମୋସ୍’କୁ ଜଳ, ସ୍ଥଳ ଓ ଆକାଶମାର୍ଗରେ ବ୍ୟବହାର ଉପଯୋଗୀ କରାଯାଇସାରିଛି। ‘ପୃଥିବୀ’, ‘ଆକାଶ’, ‘ଅଗ୍ନି’ ପ୍ରଭୃତି କ୍ଷେପଣାସ୍ତ୍ର ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ବେଳେ ‘ନାଗ’ ହେଉଛି ଭାରତର ଅତ୍ୟାଧୁନିକ ଟ୍ୟାଙ୍କ୍ ବିଧ୍ୱଂସକାରୀ କ୍ଷେପଣାସ୍ତ୍ର ।
ସେହିପରି ଜଳ, ସ୍ଥଳ, ଆକାଶ ଏମିତିକି ପ୍ରତିକୂଳ ପାଗରେ ମଧ୍ୟ ଶତ୍ରୁପକ୍ଷର ମାରଣାସ୍ତ୍ରକୁ ପ୍ରତିହତ କରିବା ଲାଗି ‘ବ୍ରାହ୍ମୋସ୍’ ନିର୍ମାଣ କରାଯାଇଥିବା ବେଳେ ଏଥିରେ ଯୋଡ଼ି ହୋଇଛି ଅତ୍ୟାଧୁନିକ ଏଲ୍ଆରଏଏସଏମ କ୍ଷେପଣାସ୍ତ୍ର | ‘ବ୍ରାହ୍ମୋସ୍’ ଭଳି ଏହାକୁ ମଧ୍ୟ ଯୁଦ୍ଧପୋତରୁ ନିକ୍ଷେପ କରିହେବ | କହିବାକୁ ଗଲେ ଜଳଭାଗରେ ଏହା ହେଉଛି ପୃଥିବୀର ଦ୍ରୁତତମ କ୍ଷେପଣାସ୍ତ୍ର | ଆମେରିକାର ବହୁଚର୍ଚ୍ଚିତ ହାର୍ପୁନ କ୍ଷେପଣାସ୍ତ୍ର ପରି ଏହା ବିଶାଳ ଯୁଦ୍ଧପୋତ ଓ ବୁଡ଼ାଜାହାଜକୁ ଅଚିରେ ଧ୍ବଂସ କରିବାର କ୍ଷମତା ରଖିଛି। ଏହାଛଡ଼ା ସ୍ଥଳ, ବାୟୁ ଓ ଜଳରୁ ମଧ୍ୟ ଏହାକୁ ଶତ୍ରୁପକ୍ଷ ଉଦ୍ଦେଶ୍ୟରେ ଟାର୍ଗେଟ୍ କରାଯାଇପାରିବ ବୋଲି ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ: ମହାକାଶ କେନ୍ଦ୍ର ନିର୍ମାଣ ପାଇଁ ଯୋଜନା କରୁଛି ଇସ୍ରୋ