ମୟୁରଭଞ୍ଜ: ମହିଳାଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ବହୁ ଆକାଂକ୍ଷିତ ଯୋଜନା ସୁଭଦ୍ରାର ଫର୍ମ ବଣ୍ଟନ ଓ ଆବେଦନ ପ୍ରକ୍ରିୟା ଇତିମଧ୍ୟରେ ଆରମ୍ଭ ହୋଇସାରିଛି। ଏହି ଯୋଜନା ସମ୍ପର୍କିତ ଲୋକଙ୍କ ଭିତରେ ରହିଯାଇଥିବା ଭ୍ରମ ଓ ଭ୍ରାନ୍ତ ଧାରଣାକୁ ଦୂର କରି ହିତାଧିକାରୀଙ୍କୁ ସଠିକ ତଥ୍ୟ ପ୍ରଦାନ ପୂର୍ବକ ସଚେତନ କରିବା ଲକ୍ଷ୍ୟ ନେଇ ସମଗ୍ର ରାଜ୍ୟରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି।ଏହି ପରିପ୍ରେକ୍ଷୀରେ ଆଜି ମୟୂରଭଞ୍ଜ ଜିଲ୍ଲାର ସମସ୍ତ ୨୬ଟି ବ୍ଲକ ଓ ପୌରାଞ୍ଚଳର ଅଧିବାସୀଙ୍କୁ ସୁଭଦ୍ରା ଯୋଜନା ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରିବା ପାଇଁ ୧୩ ଗୋଟି ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି।
ଶ୍ରୀ ଗଣେଶ ପୂଜା ଅବସରରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାର୍ବଜନୀନ ଉଦ୍ୟୋଗ ବିଭାଗ, ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ସବୁଜ ପତାକା ପ୍ରଦର୍ଶନ କରି ଆନୁଷ୍ଠାନିକ ଭାବେ ଏହି ସୁସଜ୍ଜିତ ରଥର ଶୁଭାରମ୍ଭ କରିଥିଲେ। ନିଜ ବିବୃତିରେ ମନ୍ତ୍ରୀ ଡଃ ମହାପାତ୍ର ଏହି ଯୋଜନା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ମହିଳା ମାନଙ୍କ ପ୍ରତି ଥିବା ସମ୍ମାନ ଓ ସେମାନଙ୍କ କଲ୍ୟାଣ ଲାଗି ଥିବା ପ୍ରତିବଦ୍ଧତାର ପ୍ରମାଣ ବୋଲି କହିଥିଲେ।
ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଚାଲିଥିବା ଆବେଦନର କୌଣସି ଶେଷ ତାରିଖ ନାହିଁ, ସମସ୍ତ ଯୋଗ୍ୟା ମା ଓ ଭଉଣୀ ମାନଙ୍କୁ ଏହି ଯୋଜନାର ଲାଭ ନିଶ୍ଚୟ ମିଳିବ ବୋଲି କହିଥିଲେ ।
ସୂଚନା ଥାଉକି, ଏହି ସଚେତନତା ରଥ ଚଳିତ ମାସ ୧୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳ ଗସ୍ତ କରି ଲୋକଙ୍କୁ ସଚେତନ କରିବ।