ଖବର ଓଡିଶା : 18/05/2023
ଓଡ଼ିଶାରେ ପ୍ରଥମଥର ପାଇଁ ଚାଲିଲା ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀରୁ ହାୱାଡାକୁ ଗଡିଛି ବନ୍ଦେ ଭାରତ ଏକ୍ସପ୍ରେସ । ଭିସି ଯୋଗେ ପତାକା ହଲାଇ ଯାତ୍ରା ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବନ୍ଦେ ଭାରତ ଟ୍ରେନ ଚଳାଚଳ ଶୁଭାରମ୍ଭ ଉତ୍ସବରେ ପୁରୀ ଷ୍ଟେସନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ। ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହ କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ।
ଓଡିଶା ପାଇଁ ଏହା ପ୍ରଥମ ହୋଇଥିବା ବେଳେ ପଶ୍ଚିମବଙ୍ଗ ପାଇଁ ଏହା ହେବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ l ପୁରୀରୁ ହାୱଡ଼ା ମଧ୍ୟରେ ଏହା ହେବ ସବୁଠୁ ଦ୍ରୁତଗାମୀ ଟ୍ରେନ୍ । ପୂର୍ବରୁ ପଶ୍ଚିମବଙ୍ଗରେ ହାୱଡା-ଜଲପାଇଗୁଡି ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଆରମ୍ଭ ହୋଇଥିଲା । ତେବେ ଟ୍ରେନ୍ଟି ପୁରୀ-ହାୱଡା ମଧ୍ୟରେ ସବୁଦିନ ଚଳାଚଳ କରିବ । କେବଳ ଗୁରୁବାର ବନ୍ଦ ରହିବ । ବନ୍ଦେ ଭାରତ ଲୋକାର୍ପଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଓଡ଼ିଶା ପକ୍ଷରୁ ଦାବି ରଖାଯାଇଛି । ରାଜ୍ୟ ପାଇଁ ଆଉ ୨ଟି ବନ୍ଦେ ଭାରତ ଦାବି କଲେ ମୁଖ୍ୟମନ୍ତ୍ରୀ । ପୁରୀ-ରାଉରକେଲା ଓ ଭୁବନେଶ୍ୱର-ହାଇଦ୍ରାବାଦ ବନ୍ଦେ ଭାରତ ଦାବି । ଅନୁଗୁଳ-ସୁକିନ୍ଦା ଓ ପାରାଦୀପ-ହରିଦାସପୁର ଲାଇନରେ ପାସେଞ୍ଜର ଟ୍ରେନ୍ ଦାବି । ମୋଦିଙ୍କ ନେତୃତ୍ୱରେ ଶୀଘ୍ର ବୁଲେଟ୍ ଟ୍ରେନ୍ ସ୍ୱପ୍ନ ସାକାର ନେଇ ଆଶା କରିଛନ୍ତି ମୁଖ୍ୟମନ୍ତ୍ରୀ l
ବନ୍ଦେ ଭାରତ ଏକ୍ସପ୍ରେସରେ ପୁରୀରୁ କୋଲକାତା ଯାତ୍ରା କେବଳ ସାଢ଼େ ୬ ଘଣ୍ଟା ହୋଇଯିବ। ଏହା ଦ୍ୱାରା ସମୟ ବଞ୍ଚିବ ଓ ବ୍ୟବସାୟ ବଢ଼ିବ।। ପୁରୀରୁ ହାୱଡ଼ା ମଧ୍ୟରେ ଏହା ହେବ ସବୁଠୁ ଦ୍ରୁତଗାମୀ ଟ୍ରେନ୍ । ଏହି ଟ୍ରେନ୍ ପାଖାପାଖି ୫୦୦ କିଲୋମିଟରର ଦୂରତା ସାଢ଼େ ୬ ଘଂଟାରେ ଅତିକ୍ରମ କରିବ ।୧୬ଟି କୋଚ୍ ବିଶିଷ୍ଟ ବନ୍ଦେ ଭାରତ ଏକ୍ସପ୍ରେସ୍ ରେଳବାଇର ଦକ୍ଷିଣପୂର୍ବ ଡିଭିଜନ୍ ଅଧୀନରେ ଚଳାଚଳ କରିବ। ଏଥିରେ ଥିବା ‘ଚେୟାର୍କାର୍’ ଟିକେଟ୍ର ମୂଲ୍ୟ ୧୫୯୦ ଟଙ୍କା ଏବଂ ‘ଏକ୍ଜିକ୍ୟୁଟିଭ୍ ଚେୟାର୍’ ଟିକେଟ୍ର ମୂଲ୍ୟ ୨୯୦୦ ଟଙ୍କା ରଖାଯାଇଛି। ଉଭୟ ହାୱଡ଼ା ଓ ପୁରୀରୁ ମେ ୨୦ ତାରିଖ ଦିନଠାରୁ ସପ୍ତାହକୁ ୬ ଦିନ ଏହି ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ନିୟମିତ ଚଳାଚଳ କରିବ। ରେଳବାଇ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଟ୍ରେନ୍ ନମ୍ବର ୨୨୮୯୫ (ହାଓଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍) ହାୱଡ଼ା ଠାରୁ ସକାଳ ୬ଟା ୧୦ରୁ ବାହାରି ପୁରୀରେ ମଧ୍ୟାହ୍ନ ୧୨ଟା ୩୫ରେ ପହଞ୍ଚିବ। ସେହିପରି ଟ୍ରେନ୍ ନମ୍ବର ୨୨୮୯୬ (ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍) ୫୦୨ କିଲୋମିଟର ଗତି କରିବା ପାଇଁ ପୁରୀରୁ ଦିନ ୧.୫୦ରେ ଛାଡ଼ିବ ଓ ସେହି ଦିନ ସନ୍ଧ୍ୟା ୮.୩୦ରେ ହାୱଡାରେ ପହଞ୍ଚିବ।