ପୁଣି ଚନ୍ଦ୍ରରେ ପାଦ ଥାପିବ ଭାରତ, ଚନ୍ଦ୍ରଯାନ-୩ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି
Khabar Odisha:Isro-is-in-the-final-stages-of-preparing-to-launch-Indias-ambitious-moon-mission-Chandrayaan-3
Khabar Odisha:24/5/2023

 ଚନ୍ଦ୍ରଯାନ-୧, ଚନ୍ଦ୍ରଯାନ-୨ ପରେ ଏବେ ଚନ୍ଦ୍ରଯାନ-୩ର ପାଳି । କରୋନା ମହାମାରୀ ପାଇଁ ଭାରତର  ତୃତୀୟ ମୁନ୍ ମିଶନ ବିଳମ୍ବିତ ହୋଇଥିଲା । ହେଲେ ସୂଚନା ମିଳିଛି, ଆଉ କିଛି ସପ୍ତାହ ପରେ ଏହାକୁ ଉତକ୍ଷେପଣ କରିବା ପାଇଁ ସଜବାଜ ହେଉଛି ଇସ୍ରୋ । ସବୁ ପରୀକ୍ଷା ନିରୀକ୍ଷା ସରିଛି, ପ୍ରସ୍ତୁତି ପହଞ୍ଚିଛି ଚୂଡ଼ାନ୍ତ ପର୍ଯ୍ୟାୟରେ ।

ଆସନ୍ତା ଜୁଲାଇରେ ଚନ୍ଦ୍ରଯାନ-୩ ଉତକ୍ଷେପଣ କରିପାରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା-ଇସ୍ରୋ । ନିର୍ଦ୍ଦିଷ୍ଟ ଭାବେ କହିଲେ, ଜୁଲାଇ ୧୨ରେ ଏହି ମିଶନ ଲଞ୍ଚ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ଏନେଇ ଇସ୍ରୋ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ । ମିଳିଥିବା ସୂଚନା ଅନୁସାରେ, ମାର୍ଚ୍ଚ ମାସରେ ଚନ୍ଦ୍ରଯାନ-୩ର ସବୁ ଯନ୍ତ୍ରାଂଶର ପରୀକ୍ଷଣ ହୋଇସାରିଛି । ଗତ ସପ୍ତାହରେ ସେଗୁଡ଼ିକୁ ଯୋଡ଼ିବା ଆରମ୍ଭ କରିଛି ଇସ୍ରୋ । ସେଥିରେ ପଠାଯିବାକୁ ଥିବା ପେ-ଲୋଡ୍ ଗୁଡ଼ିକର ଏକତ୍ରୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ବେଙ୍ଗଳୁରୁ ସ୍ଥିତ ୟୁ.ଆର୍. ରାଓ ସାଟେଲାଇଟ ସେଣ୍ଟର ବା URSCରେ ଏହି କାର୍ଯ୍ୟ ଚାଲିଛି । ସେଠାରୁ ଚନ୍ଦ୍ରଯାନ-୩କୁ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାକୁ ପଠାଯିବ । ସେଠାକାର ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ଉତକ୍ଷେପଣ ହେବ GSLV-ମାର୍କ ଥ୍ରୀ ରକେଟ୍ । ଆଉ ଚନ୍ଦ୍ର ଅଭିମୁଖେ ଯିବ ଚନ୍ଦ୍ରଯାନ-୩ ।

ଚର୍ଚ୍ଚା ହେଉଛି ଯେ, ରୁଷିଆ ଜୁଲାଇ ୧୩ରେ ଲୁନା-25 ନାମକ ଏକ ସ୍ପେଶକ୍ରାଫ୍ଟ ଚନ୍ଦ୍ରକୁ ପଠାଇବାକୁ ଯୋଜନା କରିଛି । ଭାରତ ଏହାସହିତ ପ୍ରତିଦ୍ୱନ୍ଦ୍ୱିତା କରି, ହୁଏତ ତାର ଦିନକ ଆଗରୁ ଅର୍ଥାତ୍ ଜୁଲାଇ ୧୨ରେ ଚନ୍ଦ୍ରଯାନ-୩ ଉତକ୍ଷେପଣ କରିପାରେ । ଯଦି ଖବର ମୁତାବକ, ଜୁଲାଇ ୧୨ରେ ଏହାକୁ ପୃଥିବୀ ପୃଷ୍ଠରୁ ଛଡ଼ାଯାଏ, ତେବେ ଅଗଷ୍ଟ ୨୩ରେ ଏହା ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ।

 ୨୦୦୮ରେ ହୋଇଥିଲା ଭାରତର ପ୍ରଥମ ମୁନ୍ ମିଶନ ଚନ୍ଦ୍ରଯାନ-୧। ଏଥିରେ କେବଳ ଏକ ଅର୍ବିଟର ଚନ୍ଦ୍ର ନିକଟକୁ ଯାଇ ତା ଚାରିପଟେ ବୁଲିଥିଲା । ଏହାପରେ ୨୦୧୯ରେ ଆଂଶିକ ସଫଳ ହୋଇଥିଲା ଇସ୍ରୋର ଚନ୍ଦ୍ରଯାନ-୨ ମିଶନ୍। ଅର୍ବିଟର ଚନ୍ଦ୍ରର କକ୍ଷପଥରେ ସଫଳତାର ସହ ସ୍ଥାପିତ ହୋଇଥିଲେ ବି, ଲ୍ୟାଣ୍ଡର ବିକ୍ରମର ସଫ୍ଟଲ୍ୟାଣ୍ଡିଂ ସମ୍ଭବ ହୋଇପାରିନଥିଲା । ଏହି କ୍ରାଶ୍-ଲ୍ୟାଣ୍ଡିଂ ଯୋଗୁଁ ଅଧୁରା ରହିଯାଇଥିଲା ଚନ୍ଦ୍ରପୃଷ୍ଠରେ ରୋଭର୍ ଗଡ଼ାଇବା ସ୍ୱପ୍ନ।

ତେବେ ଚନ୍ଦ୍ରଯାନ-୩ରେ ଆଉ ଅର୍ବିଟର ପଠାଯିବ ନାହିଁ । ଏଥିରେ ଯିବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲ୍ୟାଣ୍ଡର୍, ରୋଭର୍ ଏବଂ ଏକ ପ୍ରପଲ୍ସନ୍ ମଡ୍ୟୁଲ୍ । ଚନ୍ଦ୍ରଯାନ-୨ରେ ଯାଇଥିବା ଅର୍ବିଟର ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ସହିତ ଯୋଗାଯୋଗ ରକ୍ଷା କରିବ । ଲ୍ୟାଣ୍ଡର୍ ଚନ୍ଦ୍ରର ଦକ୍ଷିଣ ମେରୁର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସୁରକ୍ଷିତ ଭାବେ ଅବତରଣ କରିବ ଏବଂ ତା ଭିତରୁ ରୋଭର୍ ବା ଏକ ଯାନ ବାହାରି ଚନ୍ଦ୍ରପୃଷ୍ଠରେ ବିଚରଣ କରିବ ।ଏହି ସମୟରେ ରୋଭର୍ ଚନ୍ଦ୍ରପୃଷ୍ଠର ରାସାୟନିକ ବିଶ୍ଳେଷଣ ମଧ୍ୟ ଜାରି ରଖିବ। ଅନ୍ୟ ଗ୍ରହକୁ ମହାକାଶଯାନ ପ୍ରେରଣ ପାଇଁ ଆବଶ୍ୟକ ନୂଆ ଟେକନୋଲୋଜିର ପରୀକ୍ଷଣ ଓ ବିକାଶ ଏହି ମିଶନର ମୂଳ ଲକ୍ଷ୍ୟ ।...ନିଜର ମୁନ୍ ମିଶନ ଜରିଆରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଜଳର ସନ୍ଧାନ ଭଳି ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରିପାରିଛି ଭାରତ। ତେବେ ଚନ୍ଦ୍ରଯାନ-୩ ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହକୁ ବୁଝିବାରେ ଭାରତକୁ ଆଉ କେତେ ସାହାଯ୍ୟ କରୁଛି, ତାହା ସମୟ ହିଁ କହିବ ।...

Subscribe

National International State Sports Entertainment