ବାଲିଅନ୍ତା: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ବୀଭତ୍ସ ହତ୍ୟା ଘଟଣାରେ ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ୍ । ଆକ୍ରମଣକାରୀଙ୍କୁ ଖୋଜି ଖୋଜି ଥାନାକୁ ଉଠାଇ ଆଣିଥିବା ବେଳେ ଏହାକୁ ନେଇ ବାଲିଅନ୍ତା ଥାନା ପରିସରରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିବାର ଦେଖିବାକୁ ମିଳିଥିଲା । ପୁଲିସ କମିଶନରଙ୍କ ସୂଚନା ଅନୁଯାୟୀ ସିସିଟିଭି ଫୁଟେଜ୍ ଆଧାରରେ ଅନ୍ୟ ଆକ୍ରମଣକାରୀଙ୍କୁ ଚାଲିଛି ଖୋଜା। ବାଲିଅନ୍ତା ଥାନାରେ ଦୁଇଟି ପୃଥକ ପୃଥକ ଏତଲା କରାଯାଇଛି। ଗୋଟେ ଏତଲା ଅସଦାଚରଣ ଶିକାର ହୋଇଥିବା ଯୁବତୀଙ୍କ ପକ୍ଷରୁ କରାଯାଇଥିବା ବେଳେ ଅନ୍ୟ ଏକ ଏତଲା ମୃତ ଯୁବକଙ୍କ ବାପା ଦେଇଛନ୍ତି ।
ଗୁରୁବାର ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର କାଜ ନିକଟରେ ଦୁଇ ଯୁବତୀ ଏକ ସ୍କୁଟିରେ ବେଣୁପୁରରୁ ଭିଙ୍ଗର ଯାଉଥିଲେ । ଏହି ସମୟରେ ଏକ ଦ୍ରୁତଗାମୀ ବାଇକ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା ଉଭୟ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଯୁବତୀ ଜଣଙ୍କ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ମାନବିକତା ଭୁଲି ଦୁର୍ଘଟଣା ଘଟାଇଥିବା ଯୁବକ ଜଣଙ୍କ ତାଙ୍କୁ ଜବରଦସ୍ତ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ। ସେଠାରେ ଉପସ୍ଥିତ ଥିବା ଯୁବକମାନେ ଦୁଇ ଯୁବକଙ୍କୁ ପ୍ରଥମେ କାବୁ କରିବା ସହ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ପୁଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଚିକିତ୍ସା ପାଇଁ ଯୁବକଙ୍କୁ ମେଡ଼ିକାଲକୁ ନେଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ଯୁବକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଯେଉଁ ମାନେ ଯୁବକଙ୍କୁ ମାଡ଼ ମାରିଛନ୍ତି ଭିଡିଓ ଗୁଡ଼ିକ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିପି କହିଛନ୍ତି। ସେପଟେ ଆଜି ଘଟଣାସ୍ଥଳକୁ ଯିବେ ମହିଳା କମିସନ ଅଧ୍ୟକ୍ଷା ।
ସେପଟେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସହ କଥା ହୋଇଛନ୍ତି । ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଗକୁ ଯେପରି ଘଟଣାର ପୁନରାବୃତ୍ତି ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ରାଜ୍ୟ ପୁଲିସ୍ ମୁଖିଆଙ୍କୁ ସେ ପରାମର୍ଶ ଦେଇଛନ୍ତି ।