ଭୁବନେଶ୍ୱର: ଭୁବନେଶ୍ୱର ବାଲିଅନ୍ତା ଭିଡ଼ ହିଂସାକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି । ଲୋକେ କିଛି ବୁଝିବା ଆଗରୁ ସବୁ ମାନସିକତା ଭୁଲି ମାରିଥିଲେ ନିସ୍ତୁକ ମାଡ଼ । ଯଦ୍ୱାରା ଚାହୁଁ ଚାହୁଁ ଜଣକ ପ୍ରାଣ ଚାଲିଯାଇଥିଲା । କିନ୍ତୁ ଏହି ଭିଡ଼ ହିଂସାରୁ ବର୍ତ୍ତିଯାଇଥିବା ସୌମ୍ୟରଞ୍ଜନ ସାଙ୍ଗ ଓମ ପ୍ରକାଶ ।
ସୌମ୍ୟଙ୍କୁ ମାରିଥିଲା ବାତ
ବର୍ତ୍ତମାନ ବାଲିଅନ୍ତା ପୋଲିସ ଘଟଣାର ପ୍ରତ୍ୟକ୍ଷଦର୍ଶୀ ତଥା ସୌମ୍ୟଙ୍କ ସାଙ୍ଗକୁ ଓମ୍ ପ୍ରକାଶକୁ ନେଇ ପଚରାଉଚରା କରୁଛି । ତେବେ ସୌମ୍ୟଙ୍କ ଦୁର୍ଘଟଣାର କାରଣ ବାତ ଥିଲା ବୋଲି ଓମ୍ ପ୍ରକାଶ କହିଛନ୍ତି । ସେ କହିଛନ୍ତି ଯେ ଦୁହେଁ ସକାଳ ସାଢ଼େ ୧୦ଟା ସମୟରେ ସୌମ୍ୟଙ୍କୁ ନେଇ ଘରକୁ ଯାଉଥିଲେ ଛାଡ଼ିବାକୁ । ଜିମରେ ପର୍ସ ଭୁଲିଯାଇଥିବାରୁ ରାମଚନ୍ଦ୍ର ବ୍ରିଜ୍ ପାଖରୁ ପୁଣି ଥରେ ଫେରିକି ଆସିଥିଲେ । ସୌମ୍ୟ ପଛରେ ବସିଥିଲେ । ଦୁର୍ଘଟଣାର ସ୍ଥଳରୁ କିଛି ମିଟର ଦୂରରୁ ସୌମ୍ୟରଞ୍ଜନଙ୍କୁ ବାତ ମାରିଥିଲା। ସେ ଗୋଟିଏ ହାତରେ ବାଇକ ଚଲାଉଥିବା ଓମଙ୍କ ବେକକୁ ଧରି ପକାଇଥିଲେ । ଓମ୍ ଭାରସାମ୍ୟ ହରାଇବାରୁ ସେମାନେ ଏକ ସ୍କୁଟିକୁ ଧକ୍କା ଦେଇଥିଲେ । ଫଳରେ ସ୍କୁଟିରେ ଥିବା ଦୁଇ ଜଣ ଯୁବତୀ ପଡ଼ିଯାଇଥିଲେ । ଏହି ସମୟରେ ଯୁକ୍ତି ତର୍କ ହେବାରୁ ସୌମ୍ୟଙ୍କୁ ପୁଣି ବାତ ମାରିବାରୁ ମାଡ଼ ମାରିଥିଲା । ମୁଁ ଅଟକାଇବାରୁ ମୋତେ ବି ମାରିଥିଲା । ସେ ବୁଝି ପାରୁନଥିଲା କଣ କରୁଥିଲା । ଯେତେବେଳେ ଲୋକେମାନେ ଅଧିକ ରୁଣ୍ଡ ହୋଇଥିଲେ ସୌମ୍ୟ ଭୟରେ ବିଲକୁ ଡେଇଁ ପଡ଼ିଥିଲା । ଦୁଇ ଜଣ ଯୁବତୀଙ୍କ ମଧ୍ୟରୁ ଜଣେ ଗୁରୁତର ଥିବାବେଳେ ଜଣେ ଆହତ ହୋଇଥିଲେ । ଏହା ପରେ ସୌମ୍ୟଙ୍କର ଦୁଇ ଜଣ ଯୁବତୀଙ୍କ ସହିତ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ପୁଣି ଥରେ ସୌମ୍ୟଙ୍କୁ ବାତ ମାରିବାରୁ ସେ ଯୁବତୀଙ୍କ ହାତକୁ ଜୋରରେ ଧରି ପକାଇଥିଲେ । ଯେଉଁଥିପାଇଁ ଗ୍ରାମବାସୀ ଘେରି ସୌମ୍ୟଙ୍କୁ ନିର୍ଘାତ ମାଡ଼ ମାରିଥିଲେ ।
ଓମ୍ ଯୁବତୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସୌମ୍ୟ କାହାକୁ କମେଣ୍ଟ ମାରି ନ ଥିଲେ । କିମ୍ବା ଦୁଷ୍କର୍ମ ଉଦ୍ୟମ କରିନଥିଲେ । କେବଳ ଆମେ ପର୍ସ ନେବାକୁ ପୁଣି ଥରେ ଫେରିଥିଲୁ । ତେବେ ଓମ୍ ପ୍ରକାଶଙ୍କ କଥାରେ କେତେ ସତ୍ୟାସତ୍ୟ ରହିଛି, ଏହା ଆଗକୁ ତଦନ୍ତ ଆଗେଇଲେ ସ୍ପଷ୍ଟ ହେବ ।
ପୂର୍ବରୁ ଜେଲ୍ ଯାଇଥିଲେ ସୌମ୍ୟ
ସେପଟେ ମୃତ ସୌମ୍ୟଙ୍କୁ ନେଇ ଆଉ ଏକ ବଡ଼ ଖୁଲାସା ହୋଇଛି । ସୌମ୍ୟ ବର୍ଷକ ତଳେ ଧୋକା ଏବଂ ଠକେଇ ଅଭିଯୋଗରେ ଜେଲ୍ ଯାଇଥିଲେ । ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା । ଯେଉଁଥିପାଇଁ ସେ ଜେଲ୍ ଯାଇଥିଲେ । ଆଉ ଏଥିରେ ସୌମ୍ୟଙ୍କ ପରିବାର ଲୋକେ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ଏବଂ ପୋଲିସକୁ ତଦନ୍ତରେ ବାଧା ଦେଇଥିଲେ ।
ଘଟଣାସ୍ଥଳରେ ଡିଜିପି ଓ ମହିଳା କମିଶନ ଟିମ୍
ତେବେ ଆଜି ପୋଲିସ ଡିଜି ୱାଇ ବି ଖୁରାନିଆ ଏବଂ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଘଟଣା ସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି । କେଉଁ ପରିସ୍ଥିତିରେ ଏତେବଡ଼ ଅଘଟଣ ଘଟିଲା ସେ ନେଇ ତର୍ଜମା କରୁଛନ୍ତି । ସେପଟେ ମହିଳା କମିଶନ ଅଧ୍ୟକ୍ଷାଙ୍କ ନେତୃତ୍ୱରେ ଏକ ଟିମ୍ ଗାଁରେ ପହଁଚିଛନ୍ତି ।
ଏହି ହତ୍ୟାକାଣ୍ଡ ମାମଲାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ଏଥିରେ ଗିରଫଦାରୀ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ଚର୍ଚ୍ଚା ହେଉଛି ।