ଭୁବନେଶ୍ୱର: ଅସୁରକ୍ଷିତ ରାଜ୍ୟ ରାଜଧାନୀ । ଥାନା ସମ୍ମୁଖରୁ ଅପହରଣ । ମୈତ୍ରୀବିହାର ଥାନା ସମ୍ମୁଖରୁ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଉଠାଇ ନେଇଛନ୍ତି । ତେବେ କୌଶଳ କ୍ରମେ ଅପହରକାରୀଙ୍କ କବଳରୁ ଖସି ଆସିବା ପରେ ଥାନାରେ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଯୁବକ ।
ଖସି ଆସିଥିବା ଯୁବକ ଜଣକ କହିଛନ୍ତି ଯେ ମୈତ୍ରୀବିହାର ଥାନା ସମ୍ମୁଖରେ କିଛି ବ୍ୟକ୍ତି କମିଶନରେଟ୍ ପୋଲିସର ସ୍ପେଶାଲ୍ ସ୍କ୍ୱାଡ୍ କହି ଉଠାଇ ନେଇଥିଲେ । ବାଥରୁମ ଯିବାକୁ କହି ଯୁବକ ଜଣକ ଅପହରଣକାରୀଙ୍କ କବଳରୁ ଖସି ଆସିବାରେ ସଫଳ ହୋଇଛନ୍ତି । ଏହା ପରେ ତାଙ୍କୁ ଏକ ବନ୍ଦ ଘରେ ରଖି ମାଡ଼ ମାରିବା ସହିତ ତାଙ୍କ କାର୍, ମୋବାଇଲ୍ ଏବଂ ୮୫ ହଜାର ଟଙ୍କା ନେଇଯାଇଛନ୍ତି । ଏ ନେଇ ସମ୍ପୃକ୍ତ ଯୁବକ ଜଣକ ମୈତ୍ରୀବିହାର ଥାନାରେ ଏତଲା ଦେଇଛନ୍ତି । ସେ କିଛି ଜଣକ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି ।
ପ୍ରାଥମିକ ତଦନ୍ତରୁ ଏହା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିବା ଜଣାପଡ଼ିଛି । ଅପହରଣ ହୋଇଥିବା ଯୁବକ ଜଣକ ପେଶାରେ ଜଣେ ଗାଡ଼ି ଡ୍ରାଇଭର । ଗାଡ଼ି କିଣାବିକାକୁ ନେଇ ଅପହରଣ କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।