କେନ୍ଦୁଝର: ରାତାରାତି ଗୋରୁ ଚାଲାଣ ଯୋଜନାକୁ ପଣ୍ଡ କରିଦେଇଛନ୍ତି ଲୋକେ । ରାତି ଅଧରେ ବେଆଇନ ଗୋ ଚାଲାଣ ହେଉଥିବାବେଳେ ମାଡ଼ି ବସିଛନ୍ତି ସ୍ଥାନୀୟ ଲୋକ । ଫଳରେ ଗୋରୁ ଚାଲାଣ ଯୋଜନା ବିଫଳ ହୋଇଛି । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ତୋରାଣୀପୋଖରୀ ଗ୍ରାମ ନିକଟରେ ଏହି ଘଟଣା ଘଟିଛି । ଗ୍ରାମବାସୀ ୩୦ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ଉଦ୍ଧାର କରିବା ସହିତ ଟ୍ରକକୁ ଜବତ କରି ପୁଲିସ ଜିମା ଦେଇଛନ୍ତି ।
କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ତୋରାଣିପୋଖରୀ ଗ୍ରାମ ଦେଇ ଯାଉଥିବା ସମୟରେ ଗ୍ରାମବାସୀଙ୍କ ନଜର କଣ୍ଟେନର ଉପରେ ପଡିଥିଲା । କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା ନେଇ ଗ୍ରାମବାସୀ ସନ୍ଦେହ କରିଥିଲେ । ଏହା ପରେ ଶତାଧିକ ଗ୍ରାମବାସୀ ଏକାଠି ହୋଇ କଣ୍ଟେନରକୁ ଅଟକ ରଖି ଘଟଗାଁ ପୁଲିସ କୁ ଖବର ଦେଇଥିଲେ । କେଣ୍ଟେନରରୁ ୩୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର ହୋଇଥିବା ବେଳେ ଗୋଟିଏ ଗୋରୁର ମୃତ୍ୟୁ ହୋଇଥିବା ଦେଖିବା ପରେ ଗ୍ରାମବାସୀମାନେ ତାତି ଯାଇଥିଲେ । ଫଳରେ ଘଟଣା ସ୍ଥଳରେ ଦୀର୍ଘ ସମୟ ଧରି ଉତ୍ତେଜନା ଦେଖା ଦେଇଥିଲା । ପୁଲିସ ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।
ପୁଲିସ କେଣ୍ଟେନରକୁ ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖି ପଚରା ଉଚରା କରୁଛି । ଗୋରୁ କେଉଁଠୁ ଆସିଲେ ଏବଂ କେଉଁଠାକୁ ଚାଲାଣ କରାଯାଉଥିଲା ସେ ନେଇ ତଦନ୍ତ କରୁଛି ।