ଇନ୍ଦୋର: ରାଜା ରଘୁବଂଶୀ ହତ୍ୟା ମାମଲାର ରହସ୍ୟ ଉପରୁ ପରଦା ହଟାଇବାରେ ସଫଳ ହୋଇଛି ପୁଲିସ । ଗୋଟେ ପରେ ଗୋଟେ ନୂଆ ଖୁଲାସା ହେବାରେ ଲାଗିଛି । ଏବେ ରାଜାଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ଜୁନ୍ ୨ ତାରିଖରେ ରାଜାଙ୍କ ମୃତଦେହ ଏକ ଗଭୀର ଖାତରୁ ମିଳିଥିଲା। ଜୁନ୍ ୩ ତାରିଖରେ ମେଘାଳୟ ପୋଲିସ ଦ୍ୱାରା ପୋଷ୍ଟମର୍ଟମ କରାଯାଇଥିଲା। ପୋଷ୍ଟମର୍ଟମ ପରେ ହିଁ ମେଘାଳୟ ସରକାର SIT ଗଠନ କରିଥିଲେ। ରାଜାଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିଲା। ରାଜାଙ୍କ ମୁଣ୍ଡକୁ ଉଭୟ ପାର୍ଶ୍ୱରୁ ଆକ୍ରମଣ କରାଯାଇଥିଲା। ଏହାର ଅର୍ଥ ହେଉଛି ରାଜାଙ୍କ ମୁଣ୍ଡର ଆଗ ଏବଂ ପଛ ଅଂଶକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା। ଆଘାତଗୁଡ଼ିକ ସାଂଘାତିକ ଥିଲା। ଏଥିପାଇଁ ହିଁ ରାଜାର ମୃତ୍ୟୁ ହୋଇଛି । ଏନେଇ ହୋଇଥିବା ପିଏମ୍(ପୋଷ୍ଟମର୍ଟମ) ରିପୋର୍ଟ ସାର୍ବଜନୀନ କରାଯାଇଛି ।
ରାଜା ରଘୁବଂଶୀ ଏବଂ ସୋନମ ୧୧ ମଇରେ ବିବାହ କରିଥିଲେ । ଦୁହେଁ ୨୨ ମେ’ରେ ମଧୁଚନ୍ଦ୍ରିକା ପାଇଁ ମେଘାଳୟ ଯାଇଥିଲେ। ରାଜିର ମୃତଦେହ ମିଳିବା ପରଠାରୁ ସୋନମ ନିଖୋଜ ଥିଲେ। ପୂରା ୧୭ ଦିନ ପରେ, ତାଙ୍କୁ ଗାଜିପୁରରୁ ଗିରଫ କରାଯାଇଥିଲା। ସୋନମଙ୍କୁ ଗାଜିପୁରର ସଖି ୱାନ ଷ୍ଟପ୍ ସେଣ୍ଟରରେ ରଖାଯାଇଛି। କେନ୍ଦ୍ର ବାହାରେ ବହୁ ସଂଖ୍ୟକ ଉତ୍ତର ପ୍ରଦେଶ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସୋନମଙ୍କୁ ଯେକୌଣସି ସମୟରେ ଏଠାରୁ ଗାଜିପୁର ଜିଲ୍ଲା କୋର୍ଟକୁ ନିଆଯାଇପାରିବ। ମେଘାଳୟ ପୋଲିସ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ସୋନମଙ୍କ ପାଇଁ ଟ୍ରାଞ୍ଜିଟ୍ ଦାବି କରିବ।
ସେପଟେ ଏହି ଘଟଣାକୁ ନେଇ ରାଜାଙ୍କ ଭାଇ ବିପିନ ରଘୁବଂଶୀ କହିଛନ୍ତି, 'ଆମେ ଏବେ ଏହା ବିଶ୍ୱାସ କରିପାରୁନାହୁଁ।' ସୋନମ ଏପର୍ଯ୍ୟନ୍ତ ଖୋଲାଖୋଲି ଭାବରେ ଏନେଇ କିଛି ପ୍ରକାଶ କରିନାହାଁନ୍ତି। ଗଣମାଧ୍ୟମରେ ଯାହା ରିପୋର୍ଟ ହେଉଛି, ସେଥିରୁ ସନ୍ଦେହ କରାଯାଉଛି ଯେ ହତ୍ୟାକାଣ୍ଡରେ ସେ ସମ୍ପୃକ୍ତ ଅଛନ୍ତି। ଯେପର୍ଯ୍ୟନ୍ତ ଆମେ ସୋନମଙ୍କଠାରୁ ଏହା ନଶୁଣିବୁ, ଆମେ ବିଶ୍ୱାସ କରିବୁ ନାହିଁ। ଆମେ ସୋନମଙ୍କୁ ପ୍ରାୟ ଚାରି ମାସ ହେଲା ଜାଣିଛୁ। ଯେତେବେଳେ ଦୁଇଟି ପରିବାର ଏକାଠି ହେଲେ, ସେମାନେ ପରିଚିତ ହେଲେ। ଆମେ କେବେ ଭାବି ନଥିଲୁ ଯେ ସୋନମ ଏପରି କିଛି କରିପାରିବ। ରାଜା ଯେତେବେଳେ ତାଙ୍କ ନୂତନ ବିବାହ ପରେ ଶିଲଂଯିବାକୁ ବାହାରିଲା, ମୁଁ ତାକୁ ଗାଳି ବି ଦେଇଥିଲେ, ଆଉ ମା’କୁ କହିଥିଲେ ଏବେ ନୂଆ ବାହାଘର ହୋଇଛି, ଏତେ ସ୍ୱାଧିନତା ଦେବା ଠିକ୍ ନୁହେଁ । ହେଲେ ଏଥିରେ ରାଜା ବି ରାଗିଥିଲା, ଆଉ କହିଥିଲା ଟିକେଟ୍ ସୋନମ ବୁକ୍ କରିଥିଲା ବୋଲି’ ।