ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ଦେବୀ ଅହଲ୍ୟାବାଇ ହୋଲକର ବିମାନବନ୍ଦରରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ରାଜା ରଘୁବଂଶୀ ହତ୍ୟା ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ସେଠାରେ ଉପସ୍ଥିତ ଜଣେ ଯାତ୍ରୀ ଚାପୁଡ଼ା ମାରିଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ମେଘାଳୟ ପୋଲିସ ଦଳ ଚାରି ଜଣ ଅଭିଯୁକ୍ତଙ୍କୁ ନେଇ ବିମାନବନ୍ଦର ଭିତରକୁ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। ସେହି ସମୟରେ ତାଙ୍କ ଲଗେଜ୍ ସହିତ ଠିଆ ହୋଇଥିବା ଜଣେ ଯାତ୍ରୀ ହଠାତ୍ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣଙ୍କୁ ସେହି ବାଟ ଦେଇ ଯାଉଥିବା ଦେଖି ଚାପୁଡ଼ା ମାରି ଦେଇଥିଲେ। ହତ୍ୟା ଉପରେ ଅସନ୍ତୋଷ ପ୍ରକାଶ କରିବା ପାଇଁ ଯାତ୍ରୀ ଏପରି କରିଥିବା ବିଶ୍ୱାସ କରାଯାଉଛି।
ଅଭିଯୁକ୍ତମାନେ ମୁଖା ପିନ୍ଧିଥିଲେ। ତେଣୁ କାହାକୁ ଚାପୁଡ଼ା ମାରିଥିଲେ ତାହା ସ୍ପଷ୍ଟ ହୋଇପାରୁନାହିଁ। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏବଂ ଏହା ବିଷୟରେ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ଆସୁଛି।
ଇନ୍ଦୋରର ଅତିରିକ୍ତ ଡେପୁଟି ପୋଲିସ କମିଶନର (ଏଡିସିପି) ରାଜେଶ ଦଣ୍ଡୋଟିଆ କହିଛନ୍ତି ଯେ ଚାରି ଅଭିଯୁକ୍ତ (ରାଜ କୁଶୱାହା, ବିଶାଲ ଚୌହାନ, ଆକାଶ ରାଜପୁତ ଏବଂ ଆନନ୍ଦ କୁର୍ମି) କୋର୍ଟରୁ ଟ୍ରାଞ୍ଜିଟ୍ ରିମାଣ୍ଡ ପାଇବା ପରେ ମେଘାଳୟ ପୋଲିସର ଏକ ୧୨ ଜଣିଆ ଦଳ ଶିଲଂକୁ ଯାଇଛି। ଅଧିକାରୀଙ୍କ ଅନୁଯାୟୀ, ମେ ୨୩ ତାରିଖରେ ମେଘାଳୟରେ ରାଜା ରଘୁବଂଶୀଙ୍କ ହତ୍ୟା ପରେ ମାମଲାର ମୁଖ୍ୟ ଅଭିଯୁକ୍ତ ସୋନମ ଇନ୍ଦୋର ଆସିଥିବା ଅଭିଯୋଗ ହୋଇଛି।
ଜଣେ ଅଧିକାରୀ କହିଛନ୍ତି, ଆମେ ସୂଚନା ପାଇଛୁ ଯେ ସୋନମ ମେ’ ୨୫ରୁ ୨୭ ମେ ମଧ୍ୟରେ ଇନ୍ଦୋରର ଦେବାସ ନାକା ଅଞ୍ଚଳରେ ଏକ ଭଡା ଫ୍ଲାଟରେ ରହିଥିଲେ। ତଥାପି, ଏ ସମ୍ପର୍କରେ ଅଧିକ ସୂଚନା ମେଘାଳୟ ପୋଲିସ ଦେବ। ଏହି ସମୟରେ ମେଘାଳୟ ପୋଲିସ ଦଳ ଇନ୍ଦୋରରେ ଅଭିଯୁକ୍ତ ବିଶାଲ ଚୌହାନଙ୍କ ଘରେ ମଧ୍ୟ ଚଢାଉ କରିଥିଲା। ଇନ୍ଦୋରର ସହାୟକ ପୋଲିସ କମିଶନର (ଏସିପି) ପୁନମଚନ୍ଦ୍ର ଯାଦବ କହିଛନ୍ତି ଯେ ଚୌହାନଙ୍କଠାରୁ ମିଳିଥିବା ସୂଚନା ଆଧାରରେ, ହତ୍ୟା ସମୟରେ ପିନ୍ଧିଥିବା ପୋଷାକ (ପ୍ୟାଣ୍ଟ ଏବଂ ସାର୍ଟ) ତାଙ୍କ ଘରୁ ଜବତ କରାଯାଇଛି।
ଅଧିକ ପଢ଼ନ୍ତୁ: ଶିଲଂରେ ଆଜି ମୁହାଁମୁହିଁ ହେବେ ରାଜ-ସୋନମ