ପୁରୀ : ଗୋଟିଏ ପଟେ ଦେବସ୍ନାନ ପୂର୍ଣ୍ଣିମାରେ ପୁରୀ ସହର ସମ୍ପୂର୍ଣ୍ଣ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବାବେଳେ ଅନ୍ୟପଟେ ଜଣେ ବରିଷ୍ଠ ସେବାୟତକୁ ହତ୍ୟା କରାଯାଇଛି । ମୃତ ବରିଷ୍ଠ ସେବାୟତ ଜଣକ ହେଲେ ଅନ୍ତର୍ଗତ ମହାସୁଆରସାହିର ଜଗନ୍ନାଥ ଦୀକ୍ଷିତ (୮୩) । ଟାଉନ ଥାନା ପୋଲିସ ଛାନଭିନ୍ ଆରମ୍ଭ କରିଛନ୍ତି ।
ଜଗନ୍ନାଥ ଦୀକ୍ଷିତ କୌଣସି କାମରେ ଗୁଡ଼ିଆସାହିକୁ ଯାଇଥିଲେ । କିନ୍ତୁ ରାବେଣି ଚଉରା ପାଖରେ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି । ପୋଲିସ ମୃତ ଦେହକୁ ଜବତ କରିଛି ଛାନଭିନ୍ ଆରମ୍ଭ କରିଛି । ନିକଟରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯାଇଛି । ଜଣେ ବ୍ୟକ୍ତି ଜଗନ୍ନାଥ ଦିକ୍ଷିତଙ୍କ ମୃତ ଦେହକୁ ରାବେଣି ଚଉରା ନିକଟରେ ଆଣି ଫିଙ୍ଗୁଥିବାର ଦେଖାଯାଇଛି । ତେବେ ସନ୍ଦେହ ଘରରେ ଥିବା ବ୍ୟକ୍ତି ଜଣକ ମଧ୍ୟ ଫେରାର ଥିବା ଜଣାପଡ଼ିଛି । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଯାଞ୍ଚ କରୁଛନ୍ତି ।
ସେପଟେ ସ୍ନାନ ପୂର୍ଣ୍ଣିମା ପାଇଁ ସମ୍ପୂର୍ଣ୍ଣ ପୁରୀ ସହରରେ ପୋଲିସ ଛାଉଣି ହୋଇଛନ୍ତି । ଏଆଇ କ୍ୟାମେରାରେ ନଜର ରଖାଯାଇଛି । ତେବେ ଏତେ କଡ଼ା ସୁରକ୍ଷା ମଧ୍ୟରେ ବରିଷ୍ଠ ସେବାୟତଙ୍କ ହତ୍ୟାକୁ ନେଇ ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି ।