ଇନ୍ଦୋର: ଇନ୍ଦୋରରୁ ମେଘାଳୟ ହନିମୁନରେ ଯାଇଥିବା ରାଜା ରଘୁବଂଶୀଙ୍କ ହତ୍ୟାକାଣ୍ଡ ଏବେ ଦେଶରେ ସବୁଠୁ ଚର୍ଚ୍ଚିତ ବିଷୟ ପାଲଟିଛି । ଏହି ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସୋନମ ରଘୁବଂଶୀ ସହ ତାଙ୍କ ପ୍ରେମିକ ରାଜ କୁଶୱାହ ସମେତ ମୋଟ୍ ୪ ଜଣଙ୍କୁ ଗିରଫ କରି ସାରିଛି । ଅନ୍ୟପଟେ ପୁଅ ରାଜର ଗିରଫଦାରୀ ପରେ ବିଧବା ମାଆ ଓ ଭଉଣୀଙ୍କ କାନ୍ଦି କାନ୍ଦି ଅବସ୍ଥା ବେହାଲ ହୋଇ ଗଲାଣି । ତାଙ୍କ ପରିବାର ଲୋକ ରାଜ କୁଶୱାହକୁ ନିର୍ଦ୍ଦୋଷ ବୋଲି କହୁଛନ୍ତି ।
ରାଜ କୁଶୱାହଙ୍କ ପରିବାର ଉତ୍ତର ପ୍ରଦେଶର ବାସିନ୍ଦା । କରୋନା ସମୟରେ ରାଜଙ୍କ ପିତାଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ପରିବାରର ଭରଣପୋଷଣ ଦାୟିତ୍ୱ ରାଜଙ୍କ ଉପରକୁ ଆସିଥିଲା । ରାଜ କୁଶୱାହ ଇନ୍ଦୋରରେ ସୋନମଙ୍କ ଭାଇଙ୍କ ପ୍ଲାଇଉଡ ଫ୍ୟାକ୍ଟ୍ରିରେ କାମ କରୁଥିଲା ।
ରାଜ କୁଶୱାହଙ୍କ ମାଆଙ୍କ କହିବା କଥା ମୋ ପୁଅ ଏମିତି କାମ କଦାପି କରି ପାରିବ ନାହିଁ । ତିନି ହେଲାଣି ମୋ ପୁଅ ଯାଇଛି, ସେବେଠୁ ଆମେ ପାଣି ବି ଛୁଇଁନୁ । ମୋର ଛୋଟ ଝିଅ କାନ୍ଦି କାନ୍ଦି ବେହୋସ ହୋଇ ପଡୁଛି । ମୋ ପୁଅ ଦାୟିତ୍ୱସଂପନ୍ନ ଥିଲା । ତା ବ୍ୟତୀତ ଆମର କେହି ନାହାନ୍ତି ।
ସୋନମ ସହିତ ପ୍ରେମ ବ୍ୟାପାରକୁ ନେଇ ରାଜଙ୍କ ମାଆ କହିଛନ୍ତି, ସେ ସୋନମର ଭାଇ ଫ୍ୟାକ୍ଟ୍ରିରେ କାମ କରୁଥିଲା । ସୋନମ ମଧ୍ୟ ସେଠି କାମ କରୁଥିଲା । କାମ ସମୟରେ କଥା ହେବାକୁ ପଡୁଥିଲା । ମୋ ପୁଅକୁ ଫସା ଯାଇଛି । ମୁଁ ସରକାରଙ୍କୁ ପ୍ରାର୍ଥନା କରୁଛି ମୋ ପୁଅକୁ ନିର୍ଦ୍ଦୋଷ ସାବ୍ୟସ୍ତ କରନ୍ତୁ । ସେ ଏମିତି କାମ କରି ପାରିବନି ।
ରାଜ କୁଶୱାହଙ୍କ ଭଉଣୀ ମଧ୍ୟ ଭାଇକୁ ନିର୍ଦ୍ଦୋଷ ବୋଲି କହିଛନ୍ତି । ତାଙ୍କ କହିବା କଥା ଭିକ୍କି ଓ ରାଜ ମୋର ଦୁଇ ଭାଇ ଏବଂ ସେମାନେ ଏମିତି କାମ କରି ପାରିବେନି । ଉଭୟ ନିର୍ଦ୍ଦୋଷ । ଆପଣ ଅଫିସର ଲୋକଙ୍କୁ ପଚାରନ୍ତୁ ଭାଇ ପ୍ରତିଦିନ ଗୋଦାମ ଯାଉଥିଲା । ମୋ ଭାଇକୁ ଏହି କେସରେ ଫସା ଯାଉଛି ।
ରାଜଙ୍କ ଭଉଣୀ କହିଛନ୍ତି, ଜୁନ ୮ ତାରିଖ ସନ୍ଧ୍ୟା ପ୍ରାୟ ୬ଟାରେ ଘରକୁ ଆସିଥିଲା । ସେ ଗାଧୋଇ ନୂଆ ପୋଷାକ ଓ ନୂଆ ଜୋତା ପିନ୍ଧିଥିଲା । ମାଆ ପଚାରିବାରୁ ସେ ମନ୍ଦିର ଯାଉଥିବା କହିଥିଲା । ରାତିରେ ଯେବେ ମାଆ ଫୋନ କଲା ଭାଇ କହିଲା ରାତି ଅନେକ ହୋଇ ସାରିଥିବାରୁ ମନ୍ଦିର ଯାଉ ଯାଇନି । ପୋଲିସ ଘରକୁ ଆସିନି । ବୋଧହୁଏ ପୋଲିସ ରାଜଙ୍କୁ ଭିକ୍କିଙ୍କ ଘରୁ ଗିରଫ କରିଛି ।