ଭୁବନେଶ୍ୱର: ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଦିଲ୍ଲୀ ପୁଲିସ ସହ କଥା ହୋଇଛନ୍ତି ଓଡ଼ିଶା ପୁଲିସ ମୁଖ୍ୟ । ଦିଲ୍ଲୀ ପୁଲିସ କମିଶନର ସଞ୍ଜୟ ଆରୋରାଙ୍କ ସହ ଓଡିଶା ଡିଜିପି ଯୋଗେଶ ବାହାଦୂର ଖୁରାନିଆ ଆଲୋଚନା କରିଛନ୍ତି । ଡିସିପି ରବି କୁମାର ସିଂ ନିଜେ ତଦନ୍ତ ଭାର ନେଇଥିବା ଡିଜିପିଙ୍କୁ କହିଛନ୍ତି ଦିଲ୍ଲୀ କମିଶନର ।
ଦିଲ୍ଲୀ ପୁଲିସ ଡିଜିପି ଖୁରାନିଆଙ୍କୁ ସୂଚନା ଦେଇଛି ଯେ ସିସିଟିଭି ଫୁଟେଜ ଆଧାରରେ ଗଣ ଦୁଷ୍କର୍ମ ମାମଲାର ତଦନ୍ତ ଚାଲିଛି । ପୀଡିତା ଜଣେ ନର୍ସିଂ ଗ୍ରାଜୁଏଟ ବୋଲି ଜଣାପଡିଛି । ସେ ମୁର୍ମୁଷୁ ଅବସ୍ଥାରେ ହସ୍ପିଟାଲରେ ଆଡ଼ମିଟ ହୋଇଥିବାରୁ ପୀଡ଼ିତା ଠାରୁ କୌଣସି ବୟାନ ରେକର୍ଡ କରାଯାଇ ନାହିଁ । ଗତ ୧ ମାସ ହେଲା ପୀଡିତାଙ୍କ ମୋବାଇଲ ହଜିଯାଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା । ଘଟଣା ଘଟିବା ପୂର୍ବ ଦିନ ଏକ ଏଟିଏମ ନିକଟରେ ପୀଡିତା ଶୋଇଥିବା ଜାଣିବାକୁ ପାଇଛି ଦିଲ୍ଲୀ ପୋଲିସ । ଏ ନେଇ ଓଡିଶା ପଲିସକୁ ମଧ୍ୟ ଅବଗତ କରିଛି ଦିଲ୍ଲୀ ପୋଲିସ ।
ଘଟଣାକୁ ଗୁରୁତର ସହିତ ନିଆଯାଇଛି ବୋଲି ଓଡିଶା ପୁଲିସ ପକ୍ଷରୁ କୁହାଯାଇଛି । ଡିଜିଙ୍କ ଅଫିସ ତରଫରୁ କୁହାଯାଇଛି ଯେ ଓଡ଼ିଶା ପୋଲିସ ପୀଡ଼ିତାଙ୍କ ପରିବାର ଓ ଦିଲ୍ଲୀ ପୁଲିସ ସହିତ ଯୋଗାଯୋଗରେ ଅଛି । ତଦନ୍ତ କେମିତି ହେଉଛି, କେତେ ବାଟ ଯାଇଛି, ତା’ ଉପରେ ବି ନଜର ରଖାଯାଇଛି । ପୀଡ଼ିତାଙ୍କ ପରିବାର ଲୋକେ ଦିଲ୍ଲୀ ଯିବାର ବ୍ୟବସ୍ଥା କରାଯାଉଛି । ବାକି ସବୁ ବ୍ୟବସ୍ଥା କରାଯାଉଥିବା ଡିଜିପିଙ୍କ ଅଫିସ ତରଫରୁ କୁହାଯାଇଛି ।
ଏଠାରେ ପ୍ରକାଶ ଥାଉକି ଶୁକ୍ରବାର ରାତିରେ ଦିଲ୍ଲୀରେ ଜଣେ ଓଡ଼ିଆ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ସେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଅଛନ୍ତି ।