ନୂଆଦିଲ୍ଲୀ: ଏକ ନବଦମ୍ପତ୍ତିଙ୍କ ସଂସାର ଆରମ୍ଭ ହେଉ ହେଉ ଶେଷ ହୋଇଯାଇଛି । ଦମ୍ପତ୍ତିଙ୍କ ହନିମୁନ୍ ଟ୍ରିପ୍ ଏକ ମର୍ଡର ମିଷ୍ଟ୍ରିରେ ପରିଣତ ହୋଇ ରହିଯାଇଛି । ପାହାଡ଼ ପର୍ବତରେ ପରିପୂର୍ଣ୍ଣ ସିଲଂରେ ପୋଲିସକୁ ସ୍ୱାମୀର ମୃତ ଦେହ ମିଳିଥିବାବେଳେ ସ୍ତ୍ରୀର କେବଳ ରେନ୍ କୋର୍ଟ ହିଁ ମିଳିଛି । ମେଘାଳୟ ପୋଲିସ ନବବିବାହିତ ଯୋଡ଼ି ରାଜା ରଘୁବଂଶୀ ଏବଂ ସୋନମ୍ ରଘୁବଂଶୀଙ୍କ ହତ୍ୟାର କାରଣ ଖୋଜିବାରେ ଲାଗିଛି ।
ମଧ୍ୟ ପ୍ରଦେଶର ଇନ୍ଦୋରର ଏକ ବ୍ୟବସାୟୀ ରାଜା ରଘୁବଂଶୀ ଏବଂ ସୋନମ୍ ରଘୁବଂଶୀ ମେ ୧୧ରେ ବିବାହ କରିଥିଲେ । ଉଭୟ ବିବାହର ୯ ଦିନ ପରେ ମେ ୨୦ରେ, ହନିମୁନ୍ ଟ୍ରିପରେ ବାହାରିଥିଲେ । ସେମାନେ ଇନ୍ଦୋରରୁ ବେଙ୍ଗାଲୁରୁ ଏବଂ ସେଠାରୁ ଆସାମର ଗୋହାଟୀ ଅଭିମୁଖେ ଯାଇଥିଲେ । ଘର ଲୋକଙ୍କ ମୁତାବକ, ଉଭୟ କେବଳ ଆସାମର କାମାକ୍ଷା ଦେବୀ ମନ୍ଦିର ଯିବାର କାର୍ୟ୍ୟକ୍ରମ ଥିଲା । କିନ୍ତୁ ମେ ୨୨ରେ ସେମାନେ ହଠାତ୍ ମେଘାଳୟର ସିଲଂ ବୁଲିବାକୁ ଯାଇଥିଲେ ।
ମେ ୨୩ ସକାଳୁ ଉଭୟ ରାଜା ଏବଂ ସୋନମ୍ ସ୍କୁଟିରେ ବୁଲିବାକୁ ବାହାରିଥିଲେ । ମେ ୨୩ ଅପରାହ୍ନରେ ରାଜାଙ୍କ ମାଆ ବୋହୂ ସୋନମଙ୍କ ସହିତ ଫୋନ୍ ଯୋଗେ କଥା ହୋଇଥିଲେ । ସେମାନେ ଗୋଟେ ଜଙ୍ଗଲକୁ ବୁଲିବାକୁ ଯାଉଛନ୍ତି ବୋଲି କହିଥିଲେ । କିନ୍ତୁ ହଠାତ୍ ଅପରାହ୍ନ ୨ଟା ପରେ ଆଉ ଯୋଗାଯୋଗ ହୋଇ ପାରି ନ ଥିଲା । ଉଭୟଙ୍କ ଫୋନ୍ ସୁଇଚ୍ ଅଫ୍ ଦେଖାଇଥିଲା । ମେ ୨୬ ତାରିଖରେ ଉଭୟଙ୍କ ପରିବାର ଲୋକ ମୃତ୍ୟୁ ଖବର ଶୁଣି ସିଲଂରେ ପହଁଚିଥିଲେ ।
ଅନ୍ୟପକ୍ଷରେ ମେ ୨୩ ସକାଳୁ ହିଁ ନବଦମ୍ପତ୍ତି ହୋଟେଲରୁ ଚେକ୍ ଆଉଟ୍ କରିଦେଇଥିଲ । ମେ ୨୪ରେ ହୋଟେଲରୁ ୨୫ କିଲୋମିଟର ଦୂରରେ ଏକ କାଫେ ନିକଟରୁ ସେମାନଙ୍କର ସ୍କୁଟି ମିଳିଥିଲା । କିନ୍ତୁ ପୋଲିସକୁ ରାଜା ଏବଂ ସୋନମ୍ ମିଳି ନ ଥିଲେ । ସେପଟେ ପୋଲିସ ହାତରେ ହୋଟେଲର ସିସିଟିଭି ଫୁଟେଜ୍ ମିଳିଛି । ଯେଉଁଥିରେ ସେ ଏକ ଧଳା ରଙ୍ଗର ସାର୍ଟ ପିନ୍ଧିଥିବାବେଳେ ଉପରେ ଏକ ରେନ୍ କୋର୍ଟ ପିନ୍ଧିଥିଲେ । ଉକ୍ତ କୋର୍ଟ ରାଜାଙ୍କ ମୃତ ଦେହ ନିକଟରୁ ଜବତ ହୋଇଥିଲା । ସେହିପରି ମେ ୨୮ରେ ଏକ ଜଙ୍ଗଲରୁ ଦୁଇ ଜଣଙ୍କ ବ୍ୟାଗ୍ ମିଳିଥିଲା । ପରିବାର ଲୋକ ତାହାକୁ ଚିହ୍ନଟ କରିଛନ୍ତି ।
ବହୁତ ଖୋଜାଖୋଜି ପରେ ପ୍ରାୟ ଏକ ସପ୍ତାହ ପରେ ଜୁନ ୨ ତାରିଖରେ ବିଜାଡୋଙ୍ଗ ପାର୍କିଂ ସ୍ଥାନ ନିକଟରେ ଥିବା ଏକ ଘାଟିରୁ ରାଜାର ମୃତଦେହ ପୋଲିସକୁ ମିଳିଥିଲା । ହାତର ଟାଟୁ ଚିହ୍ନରୁ ରାଜାଙ୍କ ଭାଇ ତାଙ୍କୁ ଚିହ୍ନି ଥିଲେ ।
ସେପଟେ ସ୍କୁଟି ମିଳିଥିବା ସ୍ଥାନରୁ କାଫେ ଦୋକାନୀ ମଧ୍ୟ ଘଟଣା ପରଠାରୁ ଫେରାର ଅଛନ୍ତି । କିନ୍ତୁ ଏଠି ବଡ଼ ପ୍ରଶ୍ନ ସୋନମ୍ ଏବେ କେଉଁଠି ? ତାଙ୍କୁ କେହି ହତ୍ୟା କରିଛି, ନା ସେ କୌଣସି ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ତାହାର ଖିଅ ଖୋଜୁଛି ପୋଲିସ ।