ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ସୁଶଭନାଳି ଗ୍ରାମରେ ନିଖୋଜ ଥିବା ମହିଳାଙ୍କ କ୍ଷତବିକ୍ଷତ ମୃତ ଉଦ୍ଧାର ହୋଇଛି । ମହିଳାଙ୍କୁ ଅତି ଜଘନ୍ୟଭାବେ ହତ୍ୟା କରାଯାଇଛି । ମୃତ ମହିଳା ଜଣକ ହେଲେ ଯମୁନା ମୁଣ୍ଡା (୩୫)।
ପ୍ରାପ୍ତ ପ୍ରାଥମିକ ସୂଚନା ମୁତାବକ, ଯମୁନା ଦୁଇ ଦିନ ତଳେ କାମ କରିବାକୁ ଘରୁ ବାହାରି ଯାଇଥିଲେ । ମାତ୍ର ସେ ଆଉ ଘରକୁ ଫେରି ନ ଥିଲେ । ପରିବାର ଲୋକେ ଏ ନେଇ ପାଲଲହଡ଼ା ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ମାତ୍ର ଆଜି ସକାଳୁ ଏକ ପରିତ୍ୟକ୍ତ ସ୍ଥାନରୁ ମହିଳାଙ୍କ ମୃତ ଦେହ ମିଳିଛି । ତାଙ୍କ ବେକରେ ଗଭୀର ଆଘାତ ଥିବାବେଳେ ତାଙ୍କ ମୁହଁକୁ ପଥରରେ ଛେଚା ଯାଇଥିବା ଦେଖିବାକୁ ମିଳିଛି ।
ପୋଲିସ ଘଟଣା ସ୍ଥଳରେ ପହଁଚି ମହିଳାଙ୍କ ମୃତ ଦେହକୁ ଜବତ କରିଛି । କିଏ ଓ କାହିଁକି ତାଙ୍କୁ ହତ୍ୟା କରିଛି ସେ ନେଇ କିଛି ସ୍ପଷ୍ଟ ହୋଇପାରିନାହିଁ । ପୋଲିସ ତଦନ୍ତ ଆରମ୍ଭ କରିଛି ।