ସୁକୁମା: ଲାଲବାହୀନୀଙ୍କ ବର୍ବରତା ଦିନକୁ ବଢ଼ିବାରେ ଲାଗିଛି । ପ୍ରଜାକୋର୍ଟରେ ଦୁଇ ଜଣଙ୍କୁ ଫାଶୀ ଦେବାର ସପ୍ତାହ ନ ପୂରୁଣୁ ପୁଣି ଜଣେ ସାଧାରଣ ଜନତାଙ୍କ ଜୀବନ ନେଇଛନ୍ତି ମାଓବାଦୀ । ସେ ପେଶାରେ ଜଣେ ଶିକ୍ଷକ ବୋଲି ଜଣା ପଡ଼ିଛି । ମୃତ ଶିକ୍ଷକ ହେଲେ ଅର୍ଜୁନ ଦୁଧୀ (୨୫) ।
ଓଡ଼ିଶା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲା ଜାଗରଗୁଡ଼ାରେ ଜଣେ ଶିକ୍ଷାଦୂତ କର୍ମଚାରୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ମାଓବାଦୀ । ମୃତ ଶିକ୍ଷକ ଦୁଧୀ ଅର୍ଜୁନ ଉପାନ୍ତ ଅଞ୍ଚଳରେ ବୁଲି ବୁଲି ପିଲାମାନଙ୍କୁ ଶିକ୍ଷା ଦାନ କରୁଥିଲେ । ସେ ଜଣେ କଣ୍ଟ୍ରାକଚୁଆଲ ଶିକ୍ଷକ ଥିଲେ । ପୋଲିସ ଇନର୍ଫମର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ସୂଚନାରୁ ମିଳିଛି ।
ଗତ କିଛି ଦିନ ତଳେ ପ୍ରଜାକୋର୍ଟରେ ଦୁଇ ଜଣଙ୍କୁ ମାଓବାଦୀମାନେ ଫାଶୀଖୁଣ୍ଟରେ ଝୁଲାଇ ଦେଇଥିଲେ । ପୁଲିସର ସୂଚନା ଦାତା ଅଭିଯୋଗରେ ତାଙ୍କୁ ହତ୍ୟା କରାଯାଇଥିଲା ।
ଚଳିତ ବର୍ଷରେ ଅର୍ଜୁନ ଦ୍ୱିଦୀୟ ଶିକ୍ଷାଦୂତ ଯାହାକୁ ନକ୍ସଲମାନେ ହତ୍ୟା କରିଛନ୍ତି । ଜୁନ ମାସରେ ସୁକୁମାରେ କୱାସି ସୁକ୍କା ନାମକ ଜଣେ ଶିକ୍ଷାଦୂତଙ୍କୁ ମଧ୍ୟ ସମାନ ଢଙ୍ଗାରେ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା ।