କଟକ: ଯେଉଁ ମାଆ ଦିନେ ଯାହାକୁ ଜନ୍ମ ଦେଇଥିଲା ସେହି ଛୁଆ ଆଜି ତାର ମୃତ୍ୟୁର କାରଣ ପାଲଟିଛି । ନିଜ ଜନ୍ମଦାତ୍ରୀ ପାଇଁ ସଇତାନ ପାଲଟି ଗଲେ ଦୁଇ ସନ୍ତାନ । ଶେଷରେ ମାଆକୁ ଗଳା କାଟି ବିଭସ୍ଚ ଭାବେ ହତ୍ୟା କରିବାକୁ ପଛାଇ ନାହାଁନ୍ତି ଦୁଇ ପୁଅ । ଘଟଣାଟି ଘଟିଛି କଟକ ମହାନଦୀ ବିହାରରେ ।
କଟକ ମହାନଦୀ ବିହାରର ସେକ୍ଟର-୨ ରେ ଜଣେ ବୃଦ୍ଧା ତାଙ୍କ ପରିବାର ସହିତ ରହୁଥିଲେ । ଶନିବାର ତାଙ୍କର ଦୁଇ ପୁଅ କୌଣସି କଥାକୁ ନେଇ ଛୁରୀରେ ଆକ୍ରମଣ କରିଥିଲେ । ଦୁଇ ପୁଅ ପେଟରେ ଛୁରୀ ଭୁଷିବା ସହିତ ଗଳା ମଧ୍ୟ କାଟି ଦେଇଛନ୍ତି । ପାଖ ପଡ଼ୋଶୀ ମହିଳାଙ୍କ ଚିତ୍କାର ଶୁଣି ଧାଇଁ ଆସିଥିଲେ । ମହିଳାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ଚାଉଳିଆ ଗଞ୍ଜ ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚି ମହିଳାଙ୍କ ମୃତ ଦେହକୁ ଜବତ କରିଛି ।
ଅନ୍ୟପକ୍ଷରେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଫେରାର ହୋଇଯାଇଥିବା ବେଳେ ପୋଲିସ ଆଉ ଜଣଙ୍କୁ ଅଟକ ରଖିଛି । ମହିଳାଙ୍କ ଦୁଇ ପୁଅ ମାନସିକ ବିକୃତ ବୋଲି ସୂଚନା ମିଳିଛି । ପୋଲିସ ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି ।