ବେଙ୍ଗାଲୁରୁ: ରେଣୁକା ସ୍ୱାମୀ ହତ୍ୟା ମାମଲାରେ ଜେଲରେ ଥିବା କନ୍ନଡ଼ ଅଭିନେତା ଦର୍ଶନ ଥଗୁଦୀପଙ୍କୁ ମିଳୁଥିବା ରାଜକୀୟ ସେବାର ଫଟୋ ଭାଇରାଲ ହେବା ପରେ ଚଢ଼ାଉ ହୋଇଛି । ଆଉ ଚଢ଼ାଉ ସମୟରେ ଯାହା ସବୁ ହସ୍ତଗତ ହୋଇଛି ତାହା ସମସ୍ତଙ୍କୁ ଚକିତ କରିଛି । ଫୋନଠାରୁ ଆରମ୍ଭ କରି ଛୁରୀ, ବିଡ଼ି, ସିଗାରେଟ୍ ଆଦି ଅନେକ ଜିନିଷ ପୋଲିସକୁ ମିଳିଛି । ଏହା ପରେ ଦର୍ଶନ ଏବଂ ତାଙ୍କ ସାଥୀମାନଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଇଛି ।
ବେଙ୍ଗାଲୁରୁର ପରାପ୍ପନା ଅଗ୍ରହାର ସେଣ୍ଟ୍ରାଲ ଜେଲରେ ଅଭିଯୁକ୍ତ ଦର୍ଶନଙ୍କୁ ସମସ୍ତ ସୁବିଧା ଦିଆଯାଉଥିବାର ଫଟୋ ଭାଇରାଲ ହୋଇଥିଲା । ଏହା ପରେ ପୁଲିସ ଉକ୍ତ ଜେଲରେ ଶନିବାର ଚଢ଼ଉ କରିଥିଲା । ଚଢ଼ଉ ବେଲେ ପୁଲିସକୁ ୧୫ଟି ମୋବାଇଲ ଫୋନ୍, ୧.୩ ଲକ୍ଷ ଟଙ୍କାର ସାମସଙ୍ଗ୍ ଫୋନ୍, ୫ଟି ଇଲେକ୍ଟ୍ରିକ୍ ଷ୍ଟୋଭ୍, ୩ଟି ମୋବାଇଲ ଫୋନ ଚାର୍ଜର, ୨ଟି ପେନ ଡ୍ରାଇଭ୍, ସିଗାରେଟ୍ ପ୍ୟାକେଟ୍ସ, ବିଡ଼ି ପ୍ୟାକେଟ୍ସ, ୩୬,୦୦୦ ନଗଦ ଟଙ୍କା ଏବଂ ଦିଆସିଲି ମିଳିଛି ।
ଏହା ପରେ ଜେଲର ୧୨ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ଦର୍ଶନ ଏବଂ ତାଙ୍କ ସାଥୀ ଅଭିଯୁକ୍ତମାନଙ୍କୁ ପୁଲିସ ଅନ୍ୟ କାରାଗାରକୁ ସ୍ଥାନାନ୍ତର କରିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଚିତ୍ରାଦୁର୍ଗାର ରେଣୁକାସ୍ୱାମୀଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା । ଏହି ମାମଲାରେ ପୋଲିସ ଅଭିନେତା ଦର୍ଶନ ଓ ତାଙ୍କର ତିନି ସହଯୋଗୀଙ୍କୁ ଗିରଫ କରିଥିଲା ।