ଟିଟିଲାଗଡ଼: ଡାକ୍ତରଙ୍କୁ ମାଡ଼ ମାରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଟିଟିଲାଗଡ଼ ଥାନା ପୁଲିସ । ଗିରଫ ଦୁଇ ଜଣ ହେଲେ ସର୍ଗିଗୁଡ଼ାର ଶୁଭେନ୍ଦୁ ପ୍ରସାଦ ସାହୁ ଏବଂ ମନୀଷ କୁମାର ସାହୁ । ଏ ନେଇ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ସୂଚନା ଦେଇଛନ୍ତି ।
ଗତ ୧୬ ତାରିଖ ସୋମବାର ଦିନ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସରେ ସର୍ଗିଗୁଡ଼ା ଗ୍ରାମର ବିରଞ୍ଚି ସାହୁ ନାମକ ଜଣେ ବ୍ୟକ୍ତି ସାମିଲ ହୋଇଥିଲେ । ସେଠାରେ ତାଙ୍କର ହୃଦଘାତ ହୋଇଥିଲା । ତାଙ୍କୁ ତୁରନ୍ତ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଟିଟିଲାଗଡ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଗୌରବ ପଣ୍ଡା ବିରଞ୍ଚିଙ୍କୁ ମୃତ ଘୋଷଣା କରିଥିଲେ ।
ମାତ୍ର ଡାକ୍ତର ଚିକିସ୍ଚାରେ ଅବହେଳା କରିଥିବା ଅଭିଯୋଗରେ ବିରଞ୍ଚିଙ୍କର ଦୁଇ ପୁଅ ଶୁଭେନ୍ଦୁ ପ୍ରସାଦ ସାହୁ ଏବଂ ମନୀଷ କୁମାର ସାହୁ ଡାକ୍ତର ଗୌରବ ପଣ୍ଡାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏ ନେଇ ଡାକ୍ତର ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଡାକ୍ତରଙ୍କ ଅଭିଯୋଗ କ୍ରମେ ପୁଲିସ ତଦନ୍ତ କରି ଦୁଇ ଜଣଙ୍କୁ ଗିରଫ କରିଛି । ଏ ନେଇ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।