ବରଗଡ଼: ଭିନ୍ନ ଜାତିର ହୋଇଥିବାରୁ ପ୍ରେମକୁ ମିଳିଲା ନାହିଁ ଘର ଲୋକଙ୍କ ସ୍ୱୀକୃତି । ଶେଷରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ ଆଉ ହାତ ଧରାଧରି ହୋଇ ଚାଲିଗଲେ ଆର ପାରିକୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଭେଡେନ ଥାନା ଅଞ୍ଚଳରେ । ବିନ୍ଧ୍ୟବାସିନୀ ପାହାଡ ଉପରେ ଉଭୟଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ସେମାନେ ହେଲେ ସାରସ ପାଲି ଗ୍ରାମର ପୂଜା ଭୁଏ (୧୭) ଓ ସୁନିଲ କଠାର (୨୫) ।
ସାରସ ପାଲି ଗ୍ରାମର ପୂଜା ଭୁଏ ଓ ସୁନିଲ କଠାର ପରସ୍ପରକୁ ପ୍ରେମ କରୁଥିଲେ । ଯୁବକ ଯୁବତୀ ଉଭୟେ ଭିନ୍ନ ଭିନ୍ନ ଜାତିର ଥିଲେ, ସେଥିପାଇଁ ପରିବାର ଲୋକ ସେମାନଙ୍କ ମିଳାମିଶା ଉପରେ କଟକଣା ଲଗାଉଥିଲେ । ଗତ ଚାରି ଦିନ ତଳେ ପୂଜା ନିଖୋଜ ଥିବା ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ ।
ତେବେ ଆଜି ସକାଳେ ଗାଁ ଲୋକେ ଦୁଇ ଜଣଙ୍କୁ ମୃତ ଦେହ ବିନ୍ଧ୍ୟାବାସିନି ପାହାଡ଼ର ଘଞ୍ଚ ଜଙ୍ଗଲରେ ଏକ ଗଛରେ ଝୁଲୁଥିବାରୁ ଦେଖିଥିଲେ । ଉଭୟଙ୍କ ମୃତଦେହ ଉଦ୍ଧାର ହେବା ପରେ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏ ନେଇ ପୁଲିସକୁ ସୂଚନା ଦେଇଥିଲେ । ଏସଡିପିଓ ପଦାରବିନ୍ଦ ତ୍ରିପାଠୀ, ଅତିରିକ୍ତ ଆରକ୍ଷୀ ଅଧିକାରୀ ତପନ କୁମାର ସ୍ୱାଇଁ, ଅତିରିକ୍ତ ତହସିଲଦାର ଦେବାନନ୍ଦ ସାହୁ, ରୁସୁଡ଼ା ଫାଣ୍ଡି ଅଧିକାରୀ ପ୍ରମୋଦ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଦ୍ୱୟକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବରଗଡ଼଼କୁ ମେଡ଼ିକାଲକୁ ପଠାଇ ଦେଇଛନ୍ତି । ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି ।