ନୂଆପଡ଼ା: ନିଜେ ଜନ୍ମ କରିଥିବା ପିଲାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି ବାପା । ଦେଢ଼ ବର୍ଷର ପୁଅକୁ ପାଣିରେ ବୁଡ଼ାଇ ମାରିଥିବା ବେଳେ ଝିଅର ଗଳା କାଟି ଦେଇଛି । ଏଭଳି ଲୋମ ଟାଙ୍କୁରା ହତ୍ୟା କାଣ୍ଡ ଘଟିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ କୁଟିଆପଡ଼ା ଗାଁରେ । ମୃତକ ଶିଶୁ ହେଲା ୧୪ ମାସର ଚନ୍ଦନ ମାଝୀ । ତାର ବଡ଼ ଭଉଣୀ କମଳାକାନ୍ତି ଗୁରୁତର ଅଛି । ତାକୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ବୋଡ଼େନ ଥାନା କୁଟିଆପଡ଼ା ଗାଁର କିଶୋର ମାଝୀ ସେହି ଗାଁର ଜୟନ୍ତୀକୁ ବିବାହ କରି ଥିଲେ । ବାପ ଘରୁ ଯୌତୁକ ଆଣିବାକୁ ଜୟନ୍ତୀକୁ ବାଧ୍ୟ କରୁଥିଲା କିଶୋର । ଏ ନେଇ ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ କଳି ଝଗଡ଼ା ଲାଗି ରହୁଥିଲା । ଗତକାଲି ଦୁଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । କିଶୋର ସ୍ତ୍ରୀ ଜୟନ୍ତୀକୁ ମାଡ଼ ମାରିବାରୁ ସେ ରାଗିକି ବାପ ଘରକୁ ଚାଲି ଯାଇଥିଲେ । କିନ୍ତୁ ୩ ପିଲାଙ୍କୁ ଘରେ ଛାଡ଼ି ଯାଇଥିଲେ ।
ଏହା ପରେ ସବୁକିଛି ଓଲଟାପାଲଟ ହୋଇଯାଇଥିଲା । କିଶୋର ତିନି ପିଲାଙ୍କୁ ନେଇ ନିକଟସ୍ଥ ଜଙ୍ଗଳକୁ ଯାଇଥିଲା । ଅଧା ରାସ୍ତାରୁ ମଝିଆ ଝିଅ ଘରକୁ ଚାଲି ଆସିଥିଲା । କିନ୍ତୁ କିଶୋର ଏତେ ଉଗ୍ର ହୋଇଯାଇଥିଲା ତାକୁ ଆଉ କିଛି ଦିଶୁ ନ ଥିଲା । ପୁଅକୁ ପାଣିରେ ମେଡିସିନ ମିଶାଇ ପିଆଇ ଦେଇଥିଲା । ସେ ଶୋଇପଡିବାରୁ ନିକଟସ୍ଥ ନଦୀରେ ବୁଡ଼ାଇ ମାରି ଦେଇଥିଲା । ଏହା ପରେ ଝିଅକୁ ଅତି ନୃଶଂସଭାବେ ଗଳା କାଟି ହତ୍ୟା କରିବାକୁ ଉଦ୍ୟମ କରିଥିଲା, ମାତ୍ର ସେଥିରେ ବିଫଳ ହୋଇଥିଲା ।
ଗ୍ରାମବାସୀ ଏ ବିଷୟରେ ଜାଣିବା ପରେ ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିଶୋରକୁ କାବୁ କରି ପୁଲିସକୁ ଜିମା ଦେଇଥିଲେ । ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି ।