ଗୁଣିଗାରେଡ଼ି ସନ୍ଦେହରେ ଗଣ୍ଡଗୋଳ କରୁଥିଲେ । ଥାନାରେ ଅଭିଯୋଗ କରିବାରୁ କଲବଲ କରି ମାରିଦେଲେ । ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମରେ ଗୁଣିଗାରେଡି କରୁଥିବା ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ଜଣକ ୬୦ ବର୍ଷୀୟା ରଇବାରୀ ସାନ୍ତା ବୋଲି ପୋଲିସ ସୂଚନା ଦେଇଛି।
ମୃତ ରଇବାରୀଙ୍କ ଝିଅ ବୁଟୁଲିଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଅନୁଯାୟୀ, ରଇବାରୀ ତାଙ୍କ ପରିବାର ସହିତ କେନ୍ଦୁଗୁଡା ଗ୍ରାମରେ ରହୁଥିଲେ । ତେବେ କିଛି ଗ୍ରାମବାସୀ ରଇବାରୀଙ୍କ ସହ ଝଗଡା କରି ତାଙ୍କୁ ଗୁଣିଗାରେଡି କରୁଥିବା ଅଭିଯୋଗ କରିଥିଲେ। ହଇରାଣ ହରକତ ହେବା ପରେ ରଇବାରୀ ଝରିଗାଁ ପୋଲିସ ନିକଟରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ । ସମ୍ବେଦନଶୀଳ ଘଟଣା ଓ ସାଂଘାତିକ ଅଭିଯୋଗ ହୋଇଥିବାରୁ ପୋଲିସ ଉଭୟପକ୍ଷଙ୍କୁ ଥାନାକୁ ଡାକିଥିଲା । ଆପୋସ ବୁଝାମଣାରେ ବିବାଦର ସମାଧାନ କରିବା ସହ ରାଜିନାମା ଲେଖାଇ ରଖିଥିଲା । କିନ୍ତୁ ବିବାଦର ସମାଧାନ ପୂର୍ବରୁ ରଇବାରୀଙ୍କୁ ସବୁଦିନ ପାଇଁ ଚୁପ୍ କରିଦିଅ ଯାଇଥିଲା ।
ତେବେ ମାର୍ଚ୍ଚ ୭ ତାରିଖ ରେ ସେହି ଗ୍ରାମର ସାରଥୀ ସାନ୍ତା, କାଜଳୀ ସାନ୍ତା, ମୁଗୁରୀ ସାନ୍ତା, ଚମ୍ପା ସାନ୍ତା, ଲଖି ସାନ୍ତା, ପଲାଦୁ ସାନ୍ତା, ମାତିରି ସାନ୍ତା ରାଇବରୀଙ୍କ ଘରକୁ ଆସି ପାଟିତୁଣ୍ଡ କରିଥିଲେ । ଗୁଣିଗାରେଡ଼ି କରୁଥିବା ଲାଞ୍ଛନା ଲଗାଇ ନିର୍ଘାତ ପିଟିଥିଲେ। ରଇବାରୀ ଜୀବନ ବିକଳରେ କାକୁତିମିନତି ହୋଇଥିଲେ ବି ସେମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ିନଥିଲା । ଶେଷରେ ଘର ଭିତରୁ ରଇବାରୀଙ୍କୁ ଘୋଷାରି ନେଇ ରାସ୍ତା ସାରା ପିଟିପିଟି ମୁଗୁରୀ ସାନ୍ତାଙ୍କ ଘରକୁ ନେବା ପରେ ରଇବାରୀ ଆଉ ଘରକୁ ଫେରିନଥିଲେ । ଏଭଳି ସଂଘବଦ୍ଧ ଆକ୍ରମଣ ଦେଖି ରଇବାରୀଙ୍କ ପରିବାରର ଅନ୍ୟ ସଦସ୍ୟ ଏତେ ମାତ୍ରାରେ ଭୟଭୀତ ହୋଇଯାଇଥିଲେ ଯେ ଘଟଣା ଦିନ ଘରକୁ ବାହାରିବାକୁ ସାହସ ଜୁଟାଇ ପାରିନଥିଲେ ।
ପ୍ରାୟ ଦୁଇ ଦିନ ଧରି ରଇବାରୀ ନ ଫେରିବାରୁ ହତ୍ୟା କରାଯାଇଥିବା ନେଇ ଝିଅ ବୁଟୁଲି ସନ୍ଦେହ କରିଥିଲେ । ଝରିଗାଁ ଥାନାରେ ଏତଲା ଦେବାରୁ ଥାନା ଅଧିକାରୀ ତପନ କୁମାର ପତିଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ଗାଁରେ ପହଞ୍ଚିଥିଲା । ତଦନ୍ତ ସମୟରେ ବହୁ ଜଣଙ୍କୁ ପଚରାଉଚୁରା କରିବାରୁ ରଇବାରୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା । କିନ୍ତୁ ଶବ କେଉଁଠି ଅଛି ତାହାର କୌଣସି ସୁରାକ ମିଳିନଥିଲା । ତନାଘନା କରି ପୋଲିସ ଜାଣିବାକୁ ପାଇଥିଲାକି ଗାଁ ଠାରୁ ପ୍ରାୟ ୩କିଲୋମିଟର ଦୂରରେ ରହିଥିବା ଏକ ଜମିରେ ରଇବାରୀଙ୍କୁ ପୋତା ଯାଇଛି । ମାଟି ତଳୁ ଶବ ବାହାର କରାଯାଇଛି ବ୍ୟବଚ୍ଛେଦ ନିମନ୍ତେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । ଏ ନେଇ ଝରିଗାଁ ଥାନା କେଶ ନମ୍ବର ୫୪/୨୪ ଅନୁସାରେ ହତ୍ୟା ମାମଲା ରୁଜୁ କରି ପୁଲିସ କିଛି ସନ୍ଦିଗ୍ଧଙ୍କୁ ଥାନାକୁ ଆଣି ପଚରାଉଚୁରା ଜାରି ରଖିଛି ।
ଅଧିକ ପଢ଼ନ୍ତୁ : ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍