ଖବର ଓଡିଶା : 05/02/2023
ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ତିତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ମାମଲାରେ ସିଧାସଳଖ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପ୍ରଶାସନକୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ରାଜନୀତିରେ ହିଂସାର ସ୍ଥାନ ନାହିଁ। କେବଳ ସାଧାରଣ ଲୋକ ନୁହନ୍ତି, ରାଜ୍ୟରେ ମନ୍ତ୍ରୀ ଓ ଅଫିସରଙ୍କ ଉପରେ ଆକ୍ରମଣ ହେଉଛି। ବାଲେଶ୍ୱରରେ ବାଲି ମାଫିଆ ଉପଜିଲ୍ଲାପାଳଙ୍କୁ ଆକ୍ରମଣ କଲେ। ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଜଣେ ପୁଲିସ କର୍ମୀ ହତ୍ୟା କଲେ। ଶାନ୍ତିପ୍ରିୟ ରାଜ୍ୟ ଓଡ଼ିଶାର ଗତି କୁଆଡ଼େ? କିଏ ଏଠି ଶାସନ ଚଳାଉଛି? ରାଜ୍ୟ ସରକାର ମନେ ରଖିବା ଉଚିତ ଯେ ଦାୟିତ୍ବ ମିଳିଛି, ଜାଗିର ନୁହେଁ। ସେ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଗୃହମନ୍ତ୍ରୀ ଭାବେ ନିରବତା ଅବଲମ୍ବନ କରିବା ନିନ୍ଦନୀୟ। ତେଣେ ପୁଲିସ ଡିଜି ମହାପ୍ରଭୁଙ୍କ ନାଁରେ ଖସିବାକୁ ଉଦ୍ୟମ କରିବା ଦୁର୍ଭାଗ୍ୟଜନକ। ସୁନ୍ଦରଗଡ ଜିଲ୍ଲାର ଆନନ୍ଦ ଟପୋଙ୍କୁ ହତ୍ୟା ହେଲା। ପୋଲିସ କିନ୍ତୁ ଆତ୍ମହତ୍ୟା ବୋଲି କହୁଛି। ସେହିପରି ପୋଲିସ କେସ୍ ରଖିଲାନି ବୋଲି ଦୁଇ ଦିନ ପୂର୍ବେ ଜଣେ ଝିଅ ଶାସକ ଦଳର ଜଣେ ବିଧାୟକଙ୍କ ବିରୋଧରେ ହାଇକୋର୍ଟ ବି ଯାଇଛନ୍ତି। ଏଠି ପୁଲିସ ସରକାରଙ୍କ କଳ ଅନୁସାରେ କାମ କରୁଛି । ତେଣୁ ସୁଶାସନର ଡେଙ୍ଗୁରା ପିଟୁଥିବା ରାଜ୍ୟ ସରକାରଙ୍କ ବ୍ୟବସ୍ଥାରେ ଆଇନଗତ ଶୃଙ୍ଖଳା କେତେ ଦୃଢ ହୋଇଛି ତାହା ପଦାରେ ପଡୁଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।