ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସରେ ଏକ ଅଭାବନୀୟ ଘଟଣା ଘଟିଥିବା ଗଣମାଧ୍ୟମରେ ଖବର ଆସିଛି। ଅଭିଯୋଗ ଅନୁସାରେ ଦୂତାବାସରେ ଘରୋଇ ସହାୟିକା ଭାବେ କାର୍ଯ୍ୟରତ ଜଣେ ଭାରତୀୟ ମହିଳାଙ୍କ ସହିତ ଅସଦାଚରଣ ହୋଇଛି। ପୁଲିସ ନିକଟରେ ଅଭିଯୋଗ ହେଲା ପରେ ପାକିସ୍ତାନ ଦୂତାବାସର ପ୍ରଭାରୀ ସାଦ ଅହମଦ ୱାରାଇଚଙ୍କ କର୍ମଚାରୀଙ୍କୁ ଦେଶ ଛାଡ଼ିବା ପାଇଁ କୁହାଯାଇଛି।
ଅସଦାଚରଣ ଅଭିଯୋଗ ଜଣେ ୫୪ ବର୍ଷୀୟ ପାକିସ୍ତାନୀ ନାଗରିକ ମିହ୍ନାଜ ହୁସେନଙ୍କ ଉପରେ ଆସିଛି। ଦିଲ୍ଲୀରେ ପାକିସ୍ତାନ ଉଚ୍ଚାୟୋଗର ପ୍ରଭାରୀ ସାଦ ଅହମଦ ୱାରାଇଚଙ୍କ ସରକାରୀ ନିବାସରେ ରୋଷେଇ କରୁଥିବା ମିହ୍ନାଜ ହୁସେନ ଏହି ଖରାପ କାମ କରିଛି। ସେ ଜଣେ ଭାରତୀୟ ମହିଳାଙ୍କୁ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲା। ଏହି ମହିଳା ଜଣକ ସାଦ ଅହମଦଙ୍କ ନିବାସରେ ଘରୋଇ ସହାୟିକା ଭାବେ କାର୍ଯ୍ୟରତ ଥିଲେ। ସେ ନୂଆଦିଲ୍ଲୀର ତିଲକ ମାର୍ଗସ୍ଥିତ ୱାରାଇଚଙ୍କ ସରକାରୀ ନିବାସସ୍ଥିତ ସର୍ଭିସ କ୍ବାର୍ଟରରେ ରହୁଥିଲେ।
ରିପୋର୍ଟ ଅନୁସାରେ ମିହ୍ନାଜ ହୁସେନ ଚଳିତ ବର୍ଷ ଫେବ୍ରୁଆରିରେ ଭାରତ ଆସିଥିଲା। ସେ ମହିଳାଙ୍କ ସହିତ ଦୁର୍ବ୍ୟବହାର କରିଥିଲା। ଶାରୀରିକ ସଂପର୍କ ରଖିବାକୁ ମଧ୍ୟ କହୁଥିଲା। ଆଶାଳୀନ ବ୍ୟବହାର କରୁଥିଲା। ମିହ୍ନାଜ ହୁସେନ ଦ୍ବାରା ଅସଦାଚରଣ ଶିକାର ହେଲା ପରେ ମହିଳା ଜଣକ ସାଦ ଅହମଦଙ୍କୁ ଅଭିଯୋଗ କରିଥିଲେ। କିନ୍ତୁ ସେ ବକରୀଦ ବାହାନାରେ ମିହ୍ନାଜ ହୁସେନଙ୍କୁ ପାକିସ୍ତାନ ପଠାଇ ଦେଇଥିଲେ। ଏହା ପରେ ଉଚ୍ଚାୟୋଗ ମହିଳାଙ୍କୁ ଫୋନ କରି ଜୁନ ୩୦ ପର୍ଯ୍ୟନ୍ତ ସାଦ ଅହମଦଙ୍କ ଠାରୁ ଚାକିରି ଓ ଘର ଛାଡ଼ିବାକୁ କହିଥିଲା।