ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ । କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଲଗାତାର ବିବାଦ ଲାଗି ରହିଛି । ଆହରି ଭିତରେ ପୁଣି ଆଉ ଏକ ଫୋଟୋକୁ ଭାଇରଲ କରାଯାଇଛି ଯାହା ହିଂସାକୁ ଆହୁରି ଉତ୍ତେଜିତ କରିଦେଇଛି | ମଝିରେ ମଣିପୁରରେ ସମସ୍ତ ଇଣ୍ଟରନେଟ ସେବାଗୁଡିକୁ ବନ୍ଦ କରିଦିଆଯାଇଥିଲା | ମାତ୍ର ଏବେ ପୁଣି ଥରେ ଇଣ୍ଟରନେଟ ସେବା କାର୍ଯ୍ୟକ୍ଷମ ହେବା ପରେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଦୁଇ ନିଖୋଜ ଛାତ୍ରଙ୍କ ମୃତଦେହ ଫଟୋ | ସୂଚନା ଥାଉ କି,ଗତ ମେ ମାସରୁ ମଣିପୁର ରାଜ୍ୟ ଅଶାନ୍ତ ହୋଇପଡିଛି ଏବଂ ଅଣ-ଆଦିବାସୀ ମେଟେଇ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (st) ମାନ୍ୟତା ପ୍ରଦାନ କରିବାକୁ ଯାଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଜାରି ହେବା ପରଠୁ ମେ ମାସରୁ ୨ ଗୋଷ୍ଠୀଙ୍କ ମଧ୍ୟରେ ହିଂସା ଆରମ୍ଭ ହୋଇଛି। ଏହି ନିୟମ ଦ୍ୱାରା ବ୍ୟାପକ ଜାତିଗତ ସଂଘର୍ଷ ଦେଖିବାକୁ ମିଳିଛି ଯେଉଁଥିରେ ୧୭୦ରୁ ଅଧିକ ଲୋକ ଆହତ ଏବଂ ମୃତ୍ୟୁ ହୋଇଛି । ମେ ୩ରେ ପାହାଡ ଜିଲ୍ଲାରେ ଏକ 'ଆଦିବାସୀ ସଲିଡେରିଟି ମାର୍ଚ୍ଚ' ଅନୁଷ୍ଠିତ ହେବାପରେ ଏହି ଅଶାନ୍ତି ଆରମ୍ଭ ହୋଇଥିଲା।
ସୂଚନାନୁଯାୟୀ, ଜୁଲାଇ ୬ରୁ ଦୁଇ ମଣିପୁରୀ ଛାତ୍ରଛାତ୍ରୀ ନିଖୋଜ ଥିଲେ | ତେବେ ଉକ୍ତ ଦୁଇ ମଣିପୁରୀ ଛାତ୍ରଛାତ୍ରୀ ଙ୍କ ଫୋଟୋ ଏବେ ସୋସିଆଲ ମିଡିଆରେ ଏବେ ଘୁରି ବୁଲୁଛି। ଏହି ଫୋଟୋଗୁଡିକ ହତ୍ୟା ପୂର୍ବରୁ ଏବଂ ପରେ ହୋଇଥିବା ଜଣାପଡିଛି। ଏହି ଛାତ୍ରଛାତ୍ରୀମାନେ ହେଲେ ୧୭ବର୍ଷୀୟ ହିଜାମ ଲିଣ୍ଟୋଙ୍ଗାମ୍ବି ଏବଂ ୨୦ବର୍ଷୀୟ ଫିଜାମ ହେମଜିତ ବୋଲି ଜଣାପଡିଛି। ସୋସିଆଲ ମିଡିଆରେ ଏହି ଫୋଟୋ ବ୍ୟାପକ ପ୍ରସାର ପରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଛାତ୍ର ଅପହରଣ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ଶୀଘ୍ର ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ।
ସେପ୍ଟେମ୍ବର ୨୫ରେ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ଯେ ଜୁଲାଇ ୨୦୨୩ରୁ ନିଖୋଜ ଥିବା ଦୁଇ ଛାତ୍ର ଫିଜାମ ହେମଜିତ (୨୦ବର୍ଷ) ଏବଂ ହିଜାମ ଲିଣ୍ଟୋଙ୍ଗାମ୍ବି (୧୭ବର୍ଷ) ଙ୍କ ଫଟୋ ରାଜ୍ୟ ସରକାରଙ୍କ ନଜରକୁ ଆସିଥିଲା। ସୋସିଆଲ ମିଡିଆରେ ଏହା ପ୍ରକାଶ ପାଇଛି। ରାଜ୍ୟବାସୀଙ୍କ ଇଚ୍ଛା ଅନୁଯାୟୀ ଏହି ମାମଲା ସିବିଆଇକୁ ହସ୍ତାନ୍ତର ହୋଇସାରିଛି। ମଣିପୁର ପୋଲିସ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସିର ସହଯୋଗରେ ଏହି ଘଟଣାର ତଦନ୍ତ ଜାରି ରଖିଛି। ଛାତ୍ରମାନଙ୍କର ନିଖୋଜ ହେବାର ପରିସ୍ଥିତି ନିର୍ଣ୍ଣୟ କରିବା ଏବଂ ସେମାନଙ୍କ ହତ୍ୟା ପାଇଁ ଦାୟୀ ଅପରାଧୀଙ୍କୁ ଚିହ୍ନଟ କରିବା ସେମାନଙ୍କର ଉଦ୍ଦେଶ୍ୟ। ଅଭିଯୁକ୍ତଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି। ଏହି ଦୁଖଃଦ ପରିସ୍ଥିତିର ଜବାବରେ ସରକାର ଫିଜାମ ହେମଜିତ ଏବଂ ହିଜାମ ଲିଣ୍ଟୋଙ୍ଗାମ୍ବି ଅପହରଣ ଓ ହତ୍ୟାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ତ୍ୱରିତ ତଥା ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜନସାଧାରଣଙ୍କୁ ଆଶ୍ୱାସନା ଦେଇ କହିଛନ୍ତି। ସରକାର ନ୍ୟାୟ ରକ୍ଷା କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଏହି ଜଘନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଉପରେ କଠୋର ଦଣ୍ଡବିଧାନ କରିବାକୁ ଚାହୁଁଛନ୍ତି। ଏଥିସହ ଜନସାଧାରଣଙ୍କୁ ସଂଯମତା ଅବଲମ୍ବନ କରିବାକୁ ଏବଂ ଅଧିକାରୀମାନଙ୍କୁ ତଦନ୍ତ ପରିଚାଳନା କରିବାକୁ ଅନୁମତି ଦେବାକୁ ସେମାନେ ଅନୁରୋଧ କରିଛନ୍ତି।
ଅଧିକ ପଢ଼ନ୍ତୁ : ପୁଣି ମଣିପୁରରେ ହିଂସା : ୨ ସମ୍ପ୍ରଦାୟ ମଧ୍ୟରେ ଗୁଳି ଚାଳନା ଯୋଗୁଁ ୫ରୁ ଅଧିକ ମୃତ, ୧୮ ଆହତ