ସାଗର: ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ୧୧ କୋଟି ଟଙ୍କାର ଏକ ଆଇଫୋନ୍ ଲୁଟ୍ ହୋଇଛି। ଡ୍ରାଇଭରଙ୍କୁ ବନ୍ଧକ ରଖି ଡକାୟତି କରାଯାଇଛି। ଅନ୍ୟପକ୍ଷରେ ଏତଲା ରୁଜୁ ନ କରିବାରୁ ଜଣେ ଟିଆଇ ଓ ଏଏସ୍ଆଇଙ୍କୁ ନିଲମ୍ବିତ କରାଯାଇଛି। ସୂଚନା ଅନୁଯାୟୀ, ଡ୍ରାଇଭର ହାଇଦ୍ରାବାଦରୁ ଏକ ଆପଲ କମ୍ପାନୀ ଆଇଫୋନ୍ କଣ୍ଟେନରରେ ଆସୁଥିଲେ।
ଅଗଷ୍ଟ ୧୪ ତାରିଖରେ ଡ୍ରାଇଭର ହାଇଦ୍ରାବାଦରୁ ଆଇଫୋନ୍ ନେଇ ବାହାରି ଥିଲେ। କଣ୍ଟେନରରେ ତାଙ୍କ ସହ ଜଣେ ସିକ୍ୟୁରିଟି ଗାର୍ଡ ମଧ୍ୟ ଉପସ୍ଥିତ ଥିଲେ। କୁହାଯାଉଛି ଯେ ଲଖନାଡୋନ ନିକଟରେ ଥିବା କଣ୍ଟେନରରେ ଆଉ ଜଣେ ଗାର୍ଡ ଚଢ଼ିବାର ଥିଲା। ଏଠାରେ ସିକ୍ୟୁରିଟି ଗାର୍ଡ ଚା' ପିଇବା ପାଇଁ ଅଟକି ଯାଇଥିଲେ। ଏହାପରେ ଆଉ ଜଣେ ଗାର୍ଡ ମଧ୍ୟ ସେଠାକୁ ଆସିଥିଲେ। ତିନି ଜଣ କଣ୍ଟେନରରେ ଚାଲିଚାଲି ଯାଇଥିଲେ।
ବାଟରେ ନିଦ୍ରାହୀନତା କାରଣରୁ ଡ୍ରାଇଭର ଟ୍ରକ୍କୁ ରାସ୍ତା କଡ଼ରେ ପାର୍କିଂ କରି ଶୋଇବାକୁ ଲାଗିଥିଲେ। ଦ୍ୱିତୀୟ ଦିନ ଅର୍ଥାତ୍ ଅଗଷ୍ଟ ୧୫ ତାରିଖରେ ଡ୍ରାଇଭର ଉଠିଥିଲେ। ତାଙ୍କ ହାତ, ଗୋଡ଼ ଓ ପାଟି ବାନ୍ଧି ଦିଆଯାଇଥିଲା। କୌଣସି ପ୍ରକାରେ ସେ ନିଜକୁ ବନ୍ଧନରୁ ମୁକ୍ତ କରିଥିଲେ। ଏହାପରେ କଣ୍ଟେନରରୁ ଆଇଫୋନ୍ ନିଖୋଜ ହୋଇଯାଇଥିଲା। ମିଡିଆ ରିପୋର୍ଟ ଅନୁଯାୟୀ ପ୍ରାୟ ୧୫୦୦ ଆଇଫୋନ୍ ଲୁଟ୍ ହୋଇଛି। ଯାହାର ମୂଲ୍ୟ ୧୧ କୋଟି ଟଙ୍କା।
ଡ୍ରାଇଭର ତୁରନ୍ତ ଏ ନେଇ ସାଗର ଜିଲ୍ଲାର ବାନ୍ଦ୍ରି ଥାନାକୁ ଖବର ଦେଇଥିଲେ। କିନ୍ତୁ ପୁଲିସ ଏତଲା ରୁଜୁ କରିନଥିଲା। ଡ୍ରାଇଭରଙ୍କୁ ଘଟଣାଟି ଅନ୍ୟ ଥାନା ଅଞ୍ଚଳର ବୋଲି କୁହାଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ଆଇଜି ନିଜେ ଥାନାରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସବିଶେଷ ତଥ୍ୟ ମାଗିଥିଲେ। ଥାନା ଅଧିକାରୀ ଭାଗଚାନ୍ଦ ଉଇକେ ଓ ଏଏସ୍ ଆଇ ରାଜେନ୍ଦ୍ର ପାଣ୍ଡେଙ୍କ ଅବହେଳା ପଦାକୁ ଆସିବା ପରେ ଆଇଜି ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଅଧିକ ପଢ଼ନ୍ତୁ: ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତର ଘରେ ଭଙ୍ଗାରୁଜା