ବୌଦ୍ଧ: ହାଡ଼ ଭଙ୍ଗା ଶୀତରେ ନିଆଁ ପୋଉଁ ଥିବାବେଳେ ଦୁଇ ନାବାଳକୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଉଭୟ ସମ୍ପର୍କରେ ମାମୁଁ-ଭଣଜା ହେବେ । ମୃତକମାନେ ହେଲେ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ବନାକିରା ଗ୍ରାମର ସୁବଳ ଭୋଇଙ୍କ ପୁଅ କ୍ରୀଷ୍ଣା ଭୋଇ (ମାମୁଁ) ଏବଂ ବସନ୍ତବାହଲ ଗ୍ରାମର ସଞ୍ଜିତ ଉର୍ମାଙ୍କ ପୁଅ କ୍ରୀଷ୍ଣା ଉର୍ମା (ଭଣଜା) । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ସହାୟତା ରାଶି ଘୋଷଣା କରିଛନ୍ତି ।
ଶନିବାର ସନ୍ଧ୍ୟାରେ ସମ୍ପର୍କରେ ମାମୁଁ ଏବଂ ଭଣଜା ବନାକିରା ଗ୍ରାମରେ ନିଆଁ ପୋଉଁ ଥିବାବେଳେ ହଠାତ୍ ପାଳ ଗଦାରେ ନିଆଁ ଲାଗିଥିଲା । ଫଳରେ ମାମୁଁ ଓ ଭଣଜା ଗୁରୁତର ହୋଇପଡ଼ିଥିଲେ । ପରିବାର ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହିଁଚି ତଦନ୍ତ କରୁଛି ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ପ୍ରତ୍ୟେକ ନାବାଳକଙ୍କ ପାଇଁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଏଥିସହ ମୃତକଙ୍କ ଅମର ଆତ୍ମର ସଦଗତି କାମନା କରିବା ସହ ମୁଖ୍ୟମନ୍ତ୍ରୀ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି