ବଲାଙ୍ଗିର: ଘରୁ ବାହାରି ଯାଇଥିଲେ ଦାଦନ ଖଟିବାକୁ । ଦି ପଇସା ରୋଜଗାର କରିବେ, ପରିବାର ଚଳାଇବେ । କିନ୍ତୁ ଦଇବର ଲେଖା ଥିଲା କିଛି ଅଲଗା । ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ସେଇ ଅଫେରା ରାଇଜରେ ରହିଗଲେ ୨ ଓଡ଼ିଆ ଯୁବକ । ତାମିଲନାଡ଼ୁକୁ ଦାଦନ ଖଟିବାକୁ ଯାଇଥିବା ୨ ଓଡ଼ିଆ ଯୁବକଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ବଲାଙ୍ଗୀର ଜିଲ୍ଲା ଟାଉନ ଥାନା ହାତିଶାଳପଡ଼ାର ଉମେଶ ପାଣ୍ଡେ ଏବଂ କୁନୁ ବନଛୋର୍ । ପରିବାର ଆଣିଛି ହତ୍ୟା ଅଭିଯୋଗ ।
ଗତ ୧ ତାରିଖରେ ବଲାଙ୍ଗୀର ଟାଉନା ଥାନା ହାତୀଶାଳପଡ଼ାର ଦୁଇ ଯୁବକ ଉମେଶ ପାଣ୍ଡେ ଓ କୁନୁ ବନଛୋର ତାମିଲନାଡ଼ୁ କାମ କରିବାକୁ ଯାଇଥିଲେ । ତେବେ ଶନିବାର ସକାଳୁ ଚେନ୍ନାଇ ସେଣ୍ଟ୍ରାଲ ନିକଟ ପେରାମ୍ବର ଷ୍ଟେସନରୁ ମୃତ ଦେହ ଉଦ୍ଧାର କରିଥିଲା । ମୃତକମାନେ ଉମେଶ ପାଣ୍ଡେ ଏବଂ କୁନୁ ବନଛୋର ବୋଲି ଜଣାପଡ଼ିଥିଲା । ଏ ନେଇ ତାମିଲନାଡ଼ୁ ପୋଲିସ ଦୁଇ ଯୁବକଙ୍କ ପରିବାରକୁ ଫୋନ କରି ଜଣାଇଥିଲେ । ଟ୍ରେନରୁ ପଡ଼ି ସେମାନଙ୍କର ମୃତ୍ୟୁ ହୋଇଥିବା ତାମିଲନାଡ଼ୁ ପୋଲିସ କହିଛି ।
ଅନ୍ୟପକ୍ଷରେ ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରି ନାହାଁନ୍ତି ପରିବାର ଲୋକ । ସେମାନଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଅଭିଯୋଗ କରିଛନ୍ତି । ଖବର ପାଇବା ପରେ କୁନୁଙ୍କ ଭାଇ ଏବଂ ବାପା ମୃତ ଦେହକୁ ଆଣିବାକୁ ତାମିଲନାଡ଼ୁ ବାହାରି ଯାଇଛନ୍ତି । କିନ୍ତୁ ସେମାନଙ୍କ ପାଇଁ ଏବେ ଅର୍ଥ ବାଧକ ସାଜିଛି । ପୁଅର ମୃତ ଦେହ କେମିତି ଘରକୁ ଫେରିବ ସେ ନେଇ ଚିନ୍ତାରେ ପରିବାର ।
ସେମାନଙ୍କ ଘରେ କୌଣସି ସରକାରୀ ଅଧିକାରୀ ପହଁଚି ନ ଥିବାବେଳେ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ ହାତୀଶାଳପଡ଼ା ଗ୍ରାମରେ ପହଁଚି ପରିବାର ଲୋକଙ୍କୁ ଭେଟିଛନ୍ତି । ସେ ଜିଲ୍ଲା ପ୍ରଶାସନକୁ ଏ ବାବଦରେ ଜଣାଇବେ ବୋଲି କହିଛନ୍ତି ।