ନୂଆଦିଲ୍ଲୀ: କେରଳର ପଟନମତିଟ୍ଟାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ୧୮ ବର୍ଷୀୟା ଝିଅର ବୟାନ ଅଭିଯୋଗ ପୋଲିସକୁ ସ୍ତବ୍ଧ କରିଦେଇଛି । ଗତ ୫ ବର୍ଷ ମଧ୍ୟରେ ୬୪ ଜଣ ଲୋକଙ୍କ ଦ୍ୱାରା ସେ ଯୌନ ନିର୍ଯାତନା ଶୀକାର ହୋଇଥିବା ପୋଲିସ ନିକଟରେ ବୟାନ ରଖିଛି । ଯାହାକୁ ଶୁଣିବା ପରେ ପୋଲିସ ପାଦ ତଳୁ ଯେମିତି ମାଟି ଖସି ଯାଇଛି । ଏ ନେଇ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ଜଣାପଡ଼ିବା ପରେ ପୋଲିସରେ ଅଭିଯୋଗ ହୋଇଛି ।
ସିଡବ୍ଲ୍ୟୁସି ସଭାପତି ଏନ୍ ରାଜୀବଙ୍କ ସୂଚନା ମୁତାବକ, 'ମହିଳା ସମାକ୍ୟ' ନାମକ ଏକ ଏନଜିଓର ସଦସ୍ୟମାନେ ଝିଅର ଘରେ ପହଁଚିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଛି । ଝିଅଟି କହିଥିଲା ଯେ ନାବାଳିକା ଥିବାବେଳେ ଯୌନ ଉତ୍ପୀଡ଼ନର ଶୀକାର ହୋଇଛି । ଯେତେବେଳେ ସେ ମାତ୍ର ୧୩ ବର୍ଷର ଥିଲା ସେତେବେଳେ ତାକୁ ଜଣେ ପଡ଼ୋଶୀ ଯୌନ ଶୋଷଣ କରିଥିଲେ । ଅଷ୍ଟମ ଶ୍ରେଣୀରେ ତାର ଅଶ୍ଳୀଳ ଭିଡ଼ିଓ କରି ସାଙ୍ଗମାନଙ୍କୁ ଦେଇଥିଲା । ଯାହାକୁ ଏହି ଭିଡ଼ିଓ ମିଳିଲା ସମସ୍ତେ ତାର ଫାଇଦା ଉଠାଇଲେ । ଝିଅଟି ଡରରେ କାହାକୁ କିଛି ନ କହି ସବୁ ସହି ଚାଲିଥିଲା । ଖାଲି ସେତିକି ଝିଅଟି ଖେଳରେ ମଧ୍ୟ ବେଶ ଆଗ୍ରହୀ । ସେଥିପାଇଁ ତାଲିମ ନେବାକୁ ଯାଉଥିଲା । ସେଠାରେ ମଧ୍ୟ ଯୌନ ଶୋଷଣର ଶୀକାର ହୋଇଥିଲା । ତେବେ ଝିଅଟି ବର୍ତ୍ତମାନ ୧୮ ବର୍ଷର ହୋଇଛି ।
ବିଗତ ୫ ବର୍ଷ ମଧ୍ୟରେ ୬୪ ଜଣ ଯୌନ ନିର୍ଯ୍ୟାତନା ଦେଇଛନ୍ତି । ସିଡବ୍ଲ୍ୟୁସିର ଅଭିଯୋଗ ଅନୁଯାୟୀ ପୋଲିସ ୧୦ ଜଣଙ୍କୁ ଗିରଫ କରିସାରିଲାଣି । ଏହା ସହିତ ଝିଅର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ସିଡବ୍ଲ୍ୟୁସି ପୋଲିସକୁ ନିର୍ଦ୍ଦେଶ ଦେଇଛି ।