ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ବା OSSC ପରୀକ୍ଷା ପ୍ରଶ୍ନପତ୍ରରେ ସାଂଘାତିକ ତ୍ରୁଟି ଅଭିଯୋଗ। ଆକାଉଣ୍ଟାଣ୍ଟ ପୋଷ୍ଟ ପାଇଁ ହେଉଥିବା ପରୀକ୍ଷାର ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଅଭିଯୋଗ ଆଣିଛନ୍ତି ପରୀକ୍ଷାର୍ଥୀ। ବିଶେଷ ଭାବେ ଓଡ଼ିଆ ଭାଷାରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀ ପ୍ରଶ୍ନପତ୍ରରେ ତାଳମେଳ ନଥିବା ଏବଂ ଓଡ଼ିଆ ଶଦ୍ଦ ଗୁଡ଼ିକ ସଠିକ ଭାବରେ ପଢି ହେଉନଥିବା ଅଭିଯୋଗ ହୋଇଛି।
ପ୍ରଶ୍ନପତ୍ରର ଅକ୍ଷରଗୁଡିକ ଓଡ଼ିଆରେ ଥିଲା, କିନ୍ତୁ ଗୋଟିଏ ଶବ୍ଦ ମଧ୍ୟ ବୁଝିବା ସମ୍ଭବ ନଥିଲା । ପ୍ରଶ୍ନପତ୍ରକୁ ଦେଖିଲେ ଲାଗୁଛି ଗୁଗୁଲ ଟ୍ରାନ୍ସଲେଟକୁ ଭରସା କରି ପ୍ରଶ୍ନପତ୍ର ପ୍ରସ୍ତୁତ କରୁଛି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ । ବ୍ୟବସ୍ଥାର ଏପରି ଅପାରଗ ହୋଇଯାଇଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଶୁଦ୍ଧ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇପାରୁନାହିଁ । ଅଭିଯୋଗ ହୋଇଛି, ପ୍ରଶ୍ନପତ୍ର କୌଣସି ଓଡ଼ିଶାର ସଂସ୍ଥା କରିନାହାନ୍ତି, ଯେଉଁମାନେ ଓଡ଼ିଆ ଜାଣିନାହାନ୍ତି, ଗୁଗୁଲ୍ ଟ୍ରାନ୍ସଲେଟକୁ ବ୍ୟବହାର କରି କୌଣସି ବାହାର ସଂସ୍ଥା ପ୍ରଶ୍ନପତ୍ର କରୁଛନ୍ତି । ପ୍ରଶ୍ନପତ୍ର ପିଲାଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ତାହା ସଠିକ ଭାବେ ଯାଞ୍ଚ ହୋଇନଥିବା ଅଭିଯୋଗ ଆଣିଛନ୍ତି ପରୀକ୍ଷାର୍ଥୀ। ତେଣୁ ପୁଣିଥରେ ପରୀକ୍ଷା କରିବାକୁ ଦାବି କରିଛନ୍ତି।
ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଦିଲ୍ଲୀପ ମଲ୍ଲିକ କହିଛନ୍ତି, ଓଡ଼ିଶାରେ ଓଡ଼ିଆ ପ୍ରଶ୍ନପତ୍ର ନିର୍ଭୁଲ ହୋଇ ପାରୁନି। ଫଳରେ ଆଜି କୋଟି କୋଟି ଟଙ୍କା ଖର୍ଚ୍ଚ କରି ହୋଇଥିବା ପରୀକ୍ଷା ପାଣିରେ ପଡ଼ିଲା ପିଲାଙ୍କ ଶ୍ରମ, ସମୟ ଅପଚୟ ହେଲା। ରାଜ୍ୟ ସରକାର ଅଣ ଓଡ଼ିଆ ପ୍ରେମ ଛାଡ଼ନ୍ତୁ। ଭାଷାକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରନ୍ତୁ।