ନୂଆଦିଲ୍ଲୀ: ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଁଚାଇବା ପାଇଁ ବାଇକରୁ ଆରମ୍ଭ କରି କାର୍ ପର୍ଯ୍ୟନ୍ତ ସେବା ଯୋଗାଉଥିବା ଓଲା (OLA) କମ୍ପାନୀ ନିଜ ବ୍ୟବସାୟରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି । ବ୍ଲିଙ୍କିଟ୍ (Blinkit), ଜେପ୍ଟୋ (Zepto), ଫ୍ଲିପକାର୍ଟ (Flipkart) ଏବଂ ବିଗ୍ ବାସ୍କେଟ୍ (Big Basket)କୁ ଟକ୍କର ଦେବାକୁ ଓଲା କମ୍ପାନୀ ଆଉ ଏକ ନୂତନ ପାହାଚରେ ପାଦ ଦେଇଛି । କମ୍ପାନୀ ଏବେ ଗ୍ରାହକଙ୍କୁ ଘର କରଣା ସାମଗ୍ରୀ ମଧ୍ୟ ଯୋଗାଇବ । ମାତ୍ର ୧୦ ମିନିଟ୍ ମଧ୍ୟରେ ତେଲରୁ ଲୁଣ, ପନିପରିବା ଆଦି ସବୁ ରାସନ ସାମଗ୍ରୀ ଆଦି ଡେଲିଭରି କରିବ ଓଲା । ଏ ନେଇ କମ୍ପାନୀ ତରଫରୁ ସୋସିଆଲ୍ ମିଡ଼ିଆ ଏକ୍ସରେ ସୂଚନା ଦିଆଯାଇଛି ।
ଭାବିଶ ଅଗ୍ରୱାଲଙ୍କ ଓଲା କମ୍ପାନୀ କ୍ୱିକ୍ ସର୍ଭିସ୍ ଦେବାକୁ ଘୋଷଣା କରିଛି । ଓଲା କ୍ୟାବ୍ ଆକାଉଣ୍ଟରେ ଓଲା ରାସନ ସାମଗ୍ରୀ ସୁବିଧାର ଘୋଷଣା କରି କୁହାଯାଇଛି କି ସମଗ୍ର ଦେଶରେ ଏହି ସୁବିଧା ଉପଲବ୍ଧ ହେବ । ଗ୍ରାହକମାନେ ନିଜର ଜରୁରୀ ସାମଗ୍ରୀ ମାତ୍ର ୧୦ ମିନିଟ୍ ରେ ପାଇ ପାରିବେ ବୋଲି କମ୍ପାନୀ ଦାବି କରିଛି । ଏମିତିକ ଅର୍ଡର୍ କରାଯାଇଥିବା ସାମଗ୍ରୀ ଉପରେ କମ୍ପାନୀ ୩୦ ପ୍ରତିଶତ ରିହାତି ଦେବ । ଏହା ଫ୍ରି ହୋମ୍ ଡେଲିଭରି ମଧ୍ୟ ରହିଛି । ଏମିତିକି ନିଜ ଅନୁସାରେ ସମୟ ମଧ୍ୟ ଠିକ୍ କରିପାରିବେ ଗ୍ରାହକ ।
ପୂର୍ବରୁ ସ୍ୱିଗି (Swiggy), ବ୍ଲିଙ୍କିଟ୍ (Blinkit), ଜେପ୍ଟୋ (Zepto), ଫ୍ଲିପକାର୍ଟ (Flipkart) ଏବଂ ବିଗ୍ ବାସ୍କେଟ୍ (Big Basket) କ୍ୱିକ୍ ଡେଲିଭରି ଆରମ୍ଭ କରିଛନ୍ତି । ଗ୍ରାହକ ଯାହା ଚାହିଁବେ କିଛି କ୍ଷଣ ମଧ୍ୟରେ ସମସ୍ତ ରାସନ ସାମଗ୍ରୀ ଘର ପାଖରେ ଡେଲିଭରି କରୁଥିଲେ । ତେବେ ଏହି ବ୍ୟବସାୟରେ ଏବେ ଓଲା ମଧ୍ୟ ପ୍ରବେଶ କରିଛି ।