ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ମୋଦୀ ସରକାରଙ୍କ କୃଷକଙ୍କୁ ବଡ଼ ଉପହାର ଦେଇଛନ୍ତି। ସରକାର ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି କରିଛନ୍ତି। ସରକାର ୨୦୨୫-୨୬ ସିଜିନ ପାଇଁ ରବି ୬ ଫସଲର ଏମଏସପି ବୃଦ୍ଧି କରିଛନ୍ତି। ଭିନ୍ନ ଭିନ୍ନ ଫସଲର ଏମଏସପି ବୃଦ୍ଧି କରାଯାଇଛି ଯଦ୍ଵାରା କୃଷକଙ୍କୁ ସେମାନଙ୍କ ଫସଲ ଉପରେ ଉପଯୁକ୍ତ ମୂଲ୍ୟ ମିଳି ପାରିବ ବୋଲି ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି।
ସେ କହିଛନ୍ତି, ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଗହମ, ଚଣା ଓ ସୋରିଷ ତେଲ ସମେତ ଛା ରବି ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। କୃଷକଙ୍କ କଲ୍ୟାଣକୁ ଦୃଷ୍ଟିର ରଖି ଆଜି ଏହି ବଡ଼ ନିଷ୍ପତ୍ତି ନିଆଯାଇଛି। କୃଷକଙ୍କ କଲ୍ୟାଣ ଦିଗରେ କେନ୍ଦ୍ର ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛନ୍ତି।
ବିଭିନ୍ନ ଫସଲର ଏମଏସପି ବୃଦ୍ଧି
ଗହମର ଏମଏସପି କ୍ଵିଣ୍ଟାଲ ପିଛା ୨୪୨୫ ଟଙ୍କା କରାଯାଇଛି। ପୂର୍ବେ ଥିଲା ୨୨୭୫ ଟଙ୍କା।
ଯ’ର ଏମଏସପି କ୍ଵିଣ୍ଟାଲ ପିଛା ୧୯୮୦ ଟଙ୍କା କରାଯାଇଛି। ପୂର୍ବେ ଥିଲା ୧୮୫୦ ଟଙ୍କା।
ଚଣାର ଏମଏସପି କ୍ଵିଣ୍ଟାଲ ପ୍ରତି ୫,୬୫୦ ଟଙ୍କା କରାଯାଇଛି, ଯାହା ପୂର୍ବେ ୫,୪୪୦ ଟଙ୍କା ଥିଲା।
ମସୁରର ଏମଏସପି କ୍ଵିଣ୍ଟାଲ ପ୍ରତି ୬,୭୦୦ ଟଙ୍କା କରାଯାଇଛି, ଯାହା ପୂର୍ବେ ୬,୪୨୫ ଟଙ୍କା ଥିଲା।
ସୋରିଷର ଏମଏସପି କ୍ଵିଣ୍ଟାଲ ପିଛା ୫୯୫୦ ଟଙ୍କା କରାଯାଇଛି, ଯାହା ପୂର୍ବେ ୫,୬୫୦ ଟଙ୍କା ଥିଲା।
କୁସୁମର ଏମଏସପି ୫,୯୪୦ ଟଙ୍କା କରାଯାଇଛି, ଯାହା ପୂର୍ବେ ୫,୮୦୦ ଟଙ୍କା ଥିଲା।