ଆସନ୍ତା ସପ୍ତାହରେ ହ୍ରାସ ପାଇପାରେ ପିଆଜ ଦର, ନୂତନ ଫସଲ ଆସିବା ଧିରେ ଧିରେ ଆରମ୍ଭ ହେଲା
Khabar Odisha:business-odisha-onion-price-likely-to-decrease-from-next-week-fresh-crop-starts-arriving
ନୂଆଦିଲ୍ଲୀ, ଡିସେମ୍ବର୦୬(ଖବର ଓଡ଼ିଶା):

ଦେଶରେ ଏବେ ପିଆଜଦର ଆକାଶଛୁଆଁ ରହିଛି। କେଉଁ ରାଜ୍ୟରେ କିଲୋ ପିଛା ପିଆଜ ୧୪୦ ଟଙ୍କା ରହିଥିବା ବେଳେ ଆଉ କେଉଁ ରାଜ୍ୟରେ ୧୬୦   ଛୁଇଁଲାଣି। ଓଡ଼ିଶାର ଅନେକ ଜିଲ୍ଲାରେ ପିଆଜ କିଲୋ ପ୍ରତି ୧୪୦ ଟଙ୍କାରେ ବିକ୍ରି ହେଉଛି। ଲୋକଙ୍କ ଆଖିରୁ ଲୁହା ବୁହାଇଥିବା ଏହି  ପିଆଜର ଦର ଆଗାମୀ ସପ୍ତାହରେ  କମିପାରେ ବୋଲି ଆଶା କରାଯାଉଛି। କାରଣ ଦେଶର ପ୍ରମୁଖ ପିଆଜ ଉତ୍ପାଦକ ରାଜ୍ୟଗୁଡ଼ିକରୁ ନୂତନ ଫସଲ ଆସିବା ଆରମ୍ଭ ହୋଇ ଗଲାଣି। ଦେଶର ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ପିଆଜର ଅମଳ ବଢ଼ିବା ଫଳରେ ଟିଟେଲ ବଜାରରେ ଦର କିଛିଟା ହ୍ରାସ ପାଇଛି। ଦିଲ୍ଲୀର ଆଜାଦପୁର ମଣ୍ଡିରେ ପିଆଜର ରିଟେଲ୍ ଦର କିଲୋ ପିଛା ୮୨.୫୦ ଟଙ୍କା ରହିଛି, ଯାହା ଗୋଟିଏ ଦିନ ପୂର୍ବେ ୮୫ ଟଙ୍କା ଥିଲା। 

ବଜାର ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଦିଲ୍ଲୀ-ଏନସିଆରରେ ଖୁଚୁରା ବଜାରେ ପିଆଜ କିଲୋ ପିଛା ୮୦ ରୁ ୧୨୦ ଟଙ୍କାରେ ବିକ୍ରି ହେଉଛି। ମାତ୍ର ଉପଭୋକ୍ତା ମାମଲା ମନ୍ତ୍ରଣାଳୟର ଓ୍ଵେବସାଇଟ୍ ଅନୁସାରେ ଦିଲ୍ଲୀରେ ଖୁଚୁରା ବଜାରେ ଚାରି ଟଙ୍କା ବୃଦ୍ଧି ଘଟି ପିଆଜ କିଲୋ ପ୍ରତି ୯୮ ଟଙ୍କା ହୋଇଥିଲା। ମଣ୍ଡି ବ୍ୟବସାୟୀ କହିଛନ୍ତି ଯେ, ଆଗାମୀ ସପ୍ତାହରୁ ଗୁଜରାତ ଓ ମହାରାଷ୍ଟ୍ରରୁ ପିଆଜର ନୂତନ ପିଆଜ ଆସିବାର ଅଛି, ଯାହା ପରେ ସମଗ୍ର ଦେଶରେ ଏହାର ଦରରେ  ହ୍ରାସ ଘଟିପାରେ। 

ଆଜାଦପୁର ମଣ୍ଡିର ବ୍ୟବସାୟୀ ଓ ପିଆଜ ବ୍ୟବସାୟୀ ସଂଘର ଅଧ୍ୟକ୍ଷ  ରାଜେନ୍ଦ୍ର ଶର୍ମା କହିଛନ୍ତି ଯେ, ସମଗ୍ର ଦେଶରେ ପିଆଜର ନୂତନ ଫସଲ ଆସନ୍ତା ସପ୍ତାହରୁ ଆସିବା ଆରମ୍ଭ ହୋଇଯିବ। ଏଥିରେ ପିଆଜର ଅହେତୁକ ଦର ବୃଦ୍ଧି ଉପରେ ଲଗାମ ଲାଗିବ। ଦେଶର ପ୍ରମୁଖ ମଣ୍ଡି ଗୁଜରାତ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶରୁ ପିଆଜର ନୂତନ ଫସଲ ବଜାରକୁ ଆସିବା ଧିରେ ଧିରେ ଆରମ୍ଭ ହେଲାଣି। ତେଣୁ ଆସନ୍ତା ସପ୍ତାହରେ ପିଆଜ ଦର କମିବ ବୋଲି ସେ କହିଛନ୍ତି। 

ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଦ୍ଵାରା ଆମଦାନୀ ପିଆଜ ମଧ୍ୟ ଦେଶକୁ ଆସିବାର ଅଛି। ଗତ ସପ୍ତାହରେ ଭାରତ ଇଜିପ୍ଟରୁ ୬.୦୯୦ ଟନ ପିଆଜ ମଗାଇବାକୁ ଚୁକ୍ତି କରିଛି। କୁହାଯାଉଛି ଯେ ଏହି ପିଆଜ ଆଗାମୀ କିଛି ଦିନରେ ଦେଶରେ ପହଞ୍ଚିଯିବ। ଏହା ବ୍ୟତୀତ ତୁର୍କୀରୁ ୧୧,୦୦୦ ଟନ ପିଆଜ ଭାରତକୁ ଚଳିତ ମାସର ଶେଷ ସପ୍ତାହ କିମ୍ବା ଜାନୁଆରୀ ପ୍ରଥମ ସପ୍ତାହରେ ପହଞ୍ଚିପାରେ।

Subscribe

National International State Sports Entertainment