ହୁ ହୁ ହୋଇ ବଢ଼ୁଛି ପିଆଜ ଦର, ଚିନ୍ତାରେ ମୋଦୀ ସରକାର, ଅମିତ୍ ଶାହା ଡକାଇଲେ ଉଚ୍ଚସ୍ତରୀୟ ବୈଠକ
Khabar Odisha:business-odisha-modi-government-also-worried-about-increased-onion-prices-amit-shah-called-high-level-meeting-in-evening
ନୂଆଦିଲ୍ଲୀ, ଡିସେମ୍ବର୦୫(ଖବର ଓଡ଼ିଶା):

 ସମଗ୍ର ଦେଶରେ ପିଆଜର ଆକାଶଛୁଆଁ ଦରକୁ ନେଇ ମୋଦୀ ସରକାର ମଧ୍ୟ ଚିନ୍ତିତ। ଦିନ କେଇଟାରେ ପିଆଜ ଦର ହୁ ହୁ ବଢ଼ି କିଲୋ ପିଛା ୧୬୦ ଟଙ୍କା ଛୁଇଁଲାଣି।  ଲୋକଙ୍କ ହାଣ୍ଡିଶାଳରୁ ମଧ୍ୟ  ପିଆଜ ଉଭେଇ ଗଲାଣି। ଏହି କ୍ରମରେ ଆଜି ସନ୍ଧ୍ୟାରେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ନେତୃତ୍ଵରେ ଉଚ୍ଚସ୍ତରୀୟ ବୈଠକ  ହେବାକୁ ଯାଉଛି। ଏହି ମହତ୍ଵପୂର୍ଣ୍ଣ ବୈଠକରେ ଅମିତ୍ ଶାହାଙ୍କ ବ୍ୟତୀତ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପିୟୂଷ ଗୋଏଲ, କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ରାମବିଳାସ ପାସଓ୍ଵାନ, କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଯୋଗ ଦେବେ। ଏହି  ବୈଠକରେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟା ଳୟ ମଧ୍ୟ ସାମିଲ ହେବ।  ବୈଠକରେ ପିଆଜର ଅନିୟନ୍ତ୍ରିତ ଦର ଉପରେ ତୁରନ୍ତ ଲଗାମ ଲଗାଇବା ନେଇ ଆଲୋଚନା ହେବ। 

ଅନ୍ୟପଟେ ପିଆଜର ଦର ବୃଦ୍ଧିକୁ ନେଇ ଖାଦ୍ୟ ମନ୍ତ୍ରୀ ରାମ ବିଳାସ ପାସଓ୍ଵାନ  ଟ୍ଵିଟ୍ କରି ସଫେଇ ଦେଇଛନ୍ତି ଯେ, ବଜାରରେ ପିଆଜ ଦର ନିୟନ୍ତ୍ରିତ କରିବା ପାଇଁ ସରକାର ଯଥା ସମ୍ଭବ ପ୍ରୟାସ କରୁଛନ୍ତି। ଏଥର ମୌସୁମୀ ଗୋଟିଏ ମାସ ବିଳମ୍ବରେ ଆସିବା କାରଣରୁ ପିଆଜ ରୁଆରେ ବିଳମ୍ବ ଘଟିଥିଲା ଓ ଯାହା ଗତ ବର୍ଷ ତୂଳନାରେ କମ ହୋଇଥିଲା। ଏହି କାରଣରୁ ଉତ୍ପାଦନ ହ୍ରାସ ପାଇଥିଲା ଏବଂ ନୂତନ ଫସଲ ବଜାରକୁ ଆସିବାକୁ ମଧ୍ୟ ବିଳମ୍ବ ଘଟିଥିଲା।

ସେ କହିଛନ୍ତି ଯେ, ପିଆଜ ଉତ୍ପାଦନକାରୀ ପ୍ରମୁଖ ରାଜ୍ୟ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ରାଜସ୍ଥାନରେ ଚଳିତ ବର୍ଷ ପ୍ରବଳ ବର୍ଷା କାରଣରୁ ପିଆଜ ଫସଲ ବହୁତ କ୍ଷତିଗ୍ରସ୍ତ ହୋଇଥିଲା। ଫଳସ୍ଵରୂପ ପିଆଜର ଉତ୍ପାଦନ ୨୬ ପ୍ରତିଶତ ହ୍ରାସ ଘଟିଥିଲା। 

ପିଆଜର ଦର ଏବେ ଅହେତୁକ ବୃଦ୍ଧି ପାଇ ଆକାଶଛୁଆଁ ରହିଛି। ଲୋକେ ଏବେ ପିଆଜ ଖାଇବାକୁ ମଧ୍ୟ ପଛଘୁଞ୍ଚା ଦେଇଛନ୍ତି। କୋଲକାତାରେ ପିଆଜ ଦରରେ ନିଆଁ ଲାଗିଛି। ଖୁଚୁରା ବଜାରରେ ପିଆଜ କିଲୋ ପିଛା ୧୬୦ ଟଙ୍କା ଛୁଇଁଲାଣି। ଦେଶର ଅନ୍ୟ ରାଜ୍ୟ ଦିଲ୍ଲୀ-ଏନସିଆର, ମହାରାଷ୍ଟ୍ର ସମେତ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରେ ପିଆଜ କିଲୋ ପ୍ରତି ୧୨୦ ରୁ ୧୪୦ ଟଙ୍କାରେ ବିକ୍ରି ହେଉଛି।

ସୂଚନା ମୁତବାକ, ବୁଧବାର ସନ୍ଧ୍ୟା ପର୍ୟ୍ୟ ନ୍ତ ପିଆଜ କିଲୋ ପିଛା ୧୪୦ ଟଙ୍କା ଥିଲା, ଯାହା ଗୁରୁବାର ସକାଳେ ୨୦ ଟଙ୍କା ବଢ଼ି ୧୬୦ ଟଙ୍କାରେ ପହଞ୍ଚିଛି। ପିଆଜ ବସ୍ତାର ଦର ହୋଲସେଲ୍ ବଜାରରେ ୪୮୦୦ ଟଙ୍କା ରହିଛି।

Subscribe

National International State Sports Entertainment