ପ୍ୟାରିସ: ଫ୍ରାନ୍ସର ବିଶ୍ବପ୍ରସିଦ୍ଧ ଡିପାର୍ଟମେଣ୍ଟ ଷ୍ଟୋର ଗେଲରିଜ ଲାଫାୟେଟରେ ବୁଧବାର ୟୁନିଫଇେନ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସେବା ଆରମ୍ଭ ହୋଇଯାଇଛି। ୟୁପିଆଇକୁ ଅନ୍ତର୍ଜାତୀୟ ସେବା କରାଯିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣକୁ ସାକାର କରିବା ଲକ୍ଷ୍ୟରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଏହା ପୂର୍ବରୁ ପ୍ୟାରିସର ଐତିହାସିକ ଏଫିଲ ଟାୱାରରେ ୟୁପିଆଇ ସେବା ଆରମ୍ଭ କରାଯାଇଥିଲା।
ଫ୍ରାନ୍ସରେ ରାଷ୍ଟ୍ରଦୂତ ଜାଭେଦ ଅଶରଫ କହିଛନ୍ତି, ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ବାହାରେ ପ୍ରଥମ ଥର ପାଇଁ ୟୁପିଆଇ ସେବା ଆରମ୍ଭ କରିଥିଲେ। ସିଙ୍ଗାପୁରରୁ ଏହି ସେବା ଆରମ୍ଭ ହୋଇଥିଲା। ସେ ଆଶା କରିଥିଲେ ଯେ, ଦରିଆ ଆରପାରିରେ ଡିଜିଟାଲ କାରବାର ତ୍ବରିତ ଓ ସୁରକ୍ଷିତ ହେବା ଦ୍ବାରା ବିଶ୍ବର ଅନ୍ୟ ସ୍ଥାନରେ ମଧ୍ୟ ଏହା ଗ୍ରହଣୀୟ ହେବ। ଗେଲରିଜ ଲାଫାୟେଟର ସିଇଓ ନିକୋଲାସ ହୋଉଜ ଓ ଲାୟରା ଗ୍ରୁପର ଅଧ୍ୟକ୍ଷ ଏଲେନ ଲୋକୌରଙ୍କ ଉପସ୍ଥିତିରେ ଷ୍ଟୋରରେ ଲାଇଭ୍ ବ୍ୟବହାର ମାଧ୍ୟମରେ ୟୁପିଆଇ ଶୁଭାରମ୍ଭ କରାଯାଇଛି।
ଭାରତୀୟ ରାଷ୍ଟ୍ରଦୂତ କହିଛନ୍ତି, ଏହି ସେବା ଶୁଭାରମ୍ଭ କରିବା ପାଇଁ ଲାୟରା ଓ ଏନ୍ପିସିଆଇ ମଧ୍ୟରେ ହସ୍ତାକ୍ଷର ହୋଇଛି। ଏହି ବ୍ୟବସ୍ଥାକୁ ସ୍ବାଗତ କରାଯାଇଛି। ଆସନ୍ତା ୨୬ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଥିବା ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ବିଶ୍ବ ପ୍ରସିଦ୍ଧ ଗେଲରିଜ ଲାଫାୟେଟରେ ବହୁ ସଂଖ୍ୟାରେ ଭାରତୀୟ ଦର୍ଶକ ଯୋଗଦେବେ। ଏହି ସେବାରୁ ସେମାନେ ଉପକୃତ ହେବେ।