ନୂଆଦିଲ୍ଲୀ, ମେ ୦୬ (ଖବର ଓଡ଼ିଶା): ଟାଟା ମୋଟର୍ସ ଆଜକୁ ୧୭ ବର୍ଷ ପୂର୍ବରୁ ଛୋଟ ବ୍ୟବସାୟିକ ବାହନ ‘ଏସିଇ’କୁ ବଜାରକୁ ଛାଡ଼ିଥିଲା । ଏବେ କଂପାନୀ ଏହି ଗାଡ଼ିକୁ ଇଲେକ୍ଟ୍ରି ସଂସ୍କରଣରେ ବଜାରକୁ ଛାଡ଼ିବାକୁ ଚାହୁଁଛି । ବର୍ତ୍ତମାନ ଡିଜେଲ ଦର ଯେଭଳି ଭାବରେ ବଢ଼ିବାରେ ଲାଗିଛି, ଯଦି ଟାଟା ଏସିଇର ଇଲେକ୍ଟ୍ରି ସଂସ୍କରଣ ବଜାରକୁ ଆସେ, ତା’ହେଲେ ଭଲ ଚାହିଦା ରହିବା ବୋଲି ଆଶା କରାଯାଉଛି । କାରଣ ଛୋଟ ସାଇଜର ଏହି ବ୍ୟବସାୟିକ ବାହନ ଭାରତରେ ଭଲ ଲୋକପ୍ରିୟତା ହାସଲ କରିଛି । ଗ୍ରାହକମାନେ ଏହାକୁ ଛୋଟ ହାତୀ ବୋଲି ଭାବନ୍ତି । କଂପାନୀର ଲୋକପ୍ରିୟ ଗାଡ଼ି ଛୋଟ ବ୍ୟବସାୟିକ ବାହନ ବିକ୍ରି କ୍ଷେତ୍ରରେ ୭୦ ପ୍ରତିଶତ ମାର୍କେଟ ସେୟାର ରହିଛି । ବର୍ତ୍ତମାନ ଏହି ଗାଡ଼ି ପେଟ୍ରୋଲ, ଡିଜେଲ ଓ ସିଏନଜି ସଂସ୍କରଣରେ ମିଳୁଛି । ଏବେ ଇଲେକ୍ଟ୍ରି ସଂସ୍କରଣର ଗାଡ଼ି ଆସିଲା ପରେ ଆହୁରି ମାର୍କେଟ ଚାହିଦା ବଢ଼ିବ ବୋଲି ଆଶା କରାଯାଉଛି ।
କଂପାନୀ ପକ୍ଷରୁ ଟାଟା ଏସିଇ ଇଲେକ୍ଟ୍ରି ବାହନର ମୂଲ୍ୟ ଘୋଷଣା କରି ନାହିଁ । କିନ୍ତୁ ବର୍ତ୍ତମାନ ଏହାର ଦାମ ୪ ଲକ୍ଷରୁ ସାଢ଼େ ୫ ଲକ୍ଷ ଟଙ୍କା ରହିଛି । ତେଣୁ ନୂଆ ସଂସ୍କରଣର ଗାଡ଼ି ୬ରୁ ୭ ଲକ୍ଷ ଟଙ୍କା ହୋଇପାରେ । କୁହାଯାଉଛି ଯେ, ଏହାର ଆଭାରେଜ ୧୫୪ କିମି ରହିବ । ଏଥିରେ ୨୧.୩ କିଲୋୱାଟର ବ୍ୟାଟେରି ରହିବ ।