ନୂଆଦିଲ୍ଲୀ, ଜୁନ୍ ୩୦ (ଖବର ଓଡ଼ିଶା): ସୁଇଡେନ୍ର ଫାର୍ମା କଂପାନୀ ନୋଭାର୍ଟିସ ବଡ଼ଧରଣର ଛଟେଇ କରିଛି । ଏହାକୁ ନେଇ ଫାର୍ମା ସେକ୍ଟରରେ ଚର୍ଚ୍ଚା ହେଉଛି । ଏକ ରିପୋର୍ଟ ଅନୁସାରେ କଷ୍ଟ କଟିଙ୍ଗର ଆଳ ଦେଖାଇ କଂପାନୀ ବିଶ୍ୱବ୍ୟାପୀ ଭିନ୍ନ ଭିନ୍ନ ଦେଶରେ ପରିଚାଳିତ ହେଉଥିବା ଶାଖାଗୁଡ଼ିକରୁ ପାଖାପାଖି ୮୦୦୦ କର୍ମଚାରୀଙ୍କୁ ବାହାର ହେବା ପାଇଁ ରାସ୍ତା ଦେଖାଇ ଦିଆଯାଇଛି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ନୋଭାର୍ଟିସ କଂପାନୀ ଏହି ଛଟେଇକୁ ନେଇ କହିଛି ଯେ, ବିଶ୍ୱବ୍ୟାପୀ ନିଜର ଶାଖାରୁ ୭ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବା ଲାଗି ଯୋଜନା କରାଯାଇଥିଲା । ଏଥି ପାଇଁ ଏବେ କଂପାନୀ ପକ୍ଷରୁ ପଦକ୍ଷେପ ନିଆଯାଇଛି । କଂପାନୀ ପକ୍ଷରୁ କୁହାଯାଇଛି ଯେ, ନୋଭାର୍ଟିସରେ ଭିନ୍ନ ଭିନ୍ନ ଦେଶରେ ପରିଚାଳିତ ହେଉଥିବା ଶାଖାରେ ପାଖାପାଖି ୧,୦୮,୦୦୦ କର୍ମଚାରୀ କାମ କରନ୍ତି । କଂପାନୀ ଗତ ଏପ୍ରିଲ ମାସରେ ଛଟେଇ କରିବା ନେଇ ସଂକେତ ଦେଇଥିଲା । ମଙ୍ଗଳବାର କଂପାନୀ ପକ୍ଷରୁ ନିଜର ଅନେକଗୁଡ଼ିଏ ଶାଖାରୁ କର୍ମଚାରୀଙ୍କୁ ବାହାରିଯିବା ପାଇଁ ରାସ୍ତା ଦେଖାଇ ଦିଆଯାଇଛି ।