ନୂଆଦିଲ୍ଲୀ: ଅନ୍ତର୍ଜାତୀ ୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ନିଜର ବିତ୍ତୀୟ ରିପୋର୍ଟ ଜାରି କରିଛି। ଆୟ ମାମଲାରେ ୨୦୨୩ ର ଦିନିକିଆ ବିଶ୍ଵକପ୍ କ୍ରିକେଟ୍ ଇତିହାସର ସବୁଠୁ ବଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସାବ୍ୟସ୍ତ ହୋଇଛି। ଏହି ବିଶ୍ଵକପ ଭାରତୀୟ ଅର୍ଥବ୍ୟବସ୍ଥାରେ ୧.୩୯ ବିଲିୟନ ୟୁଏସ ଡଲାର ଅର୍ଥାତ ୧୧ ହଜାର ୬୩୭ କୋଟି ଟଙ୍କାର ଯୋଗଦାନ ଦେଇଥିବା ଆଇସିସି ରିପୋର୍ଟରେ ଉଲ୍ଲେଖ ରହିଛି।
୨୦୨୩ ଅକ୍ଟୋବର ୫ରୁ ନଭେମ୍ଵର ୧୯ ପର୍ଯ୍ୟନ୍ତ ଭାରତରେ ଦିନିକିଆ ବିଶ୍ଵକପ୍ ଖେଳା ଯାଇଥିଲା। ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇ ସମେତ ମୋଟ୍ ୧୦ଟି ସହରରେ ବିଶ୍ଵକପ୍ ମ୍ୟାଚ୍ର ଆୟୋଜନ ହୋଇଥିଲା। ଆଇସିସି ଓ ବିସିସିଆଇ ବିଶ୍ଵକପର ସମସ୍ତ ଖର୍ଚ୍ଚ ବହନ କରିଥିଲେ। ରାଜ୍ୟ କ୍ରିକେଟ୍ ସଂଘ ମଧ୍ୟ ଅଲଗା ଅଲଗା ସେକ୍ଟରରେ ଭାରତୀୟ ଅର୍ଥବ୍ୟବସ୍ଥାରେ ବଡ଼ ଯୋଗଦାନ ଦେଇଛନ୍ତି।
ଯେଉଁ ସହରରେ ବିଶ୍ଵକପ୍ ମୁକାବିଲା ଖେଳା ଯାଇଛି, ସେଠାକାର ପର୍ଯ୍ୟଟନରୁ ଖୁବ ଆୟ ହୋଇଛି। ରହିବା, ଖାଦ୍ୟପଦାର୍ଥ, ଯାତ୍ରା ଓ ପରିବହନକୁ ମିଶାଇ ପର୍ଯ୍ୟଟନ କ୍ଷେତ୍ରରୁ ବିଶ୍ଵକପ୍ ସମୟରେ ୭ ହଜାର ୨୩୧ କୋଟି ଟଙ୍କାର ଆୟ ହୋଇଛି। ଏହା ବ୍ୟତୀତ ୨୦୨୩ ବିଶ୍ଵକପରେ ମୋଟ୍ ୧୨ ଲକ୍ଷ ୫୦ ହଜାର ଦର୍ଶକ ଷ୍ଟାଡିୟମରେ ବସି ମ୍ୟାଚ୍ ଉପଭୋଗ କରିଛନ୍ତି।
ବିଦେଶୀ ଯାତ୍ରୀଙ୍କଠୁ ମଧ୍ୟ ଭାରତୀୟ ଅର୍ଥବ୍ୟବସ୍ଥାକୁ ବେଶ ଫାଇଦା ମିଳିଛି। ବିଦେଶୀ ଯାତ୍ରୀଙ୍କ ରହିବା, ଅଲଗା ଅଲଗା ସହରକୁ ଯାତ୍ରା କରିବା ଏବଂ ଅନ୍ୟ ଜିନିଷ ମାଧ୍ୟମରୁ ୨୩୬୦ କୋଟି ଟଙ୍କାର ଆୟ ହୋଇଛି। ୬୮ ପ୍ରତିଶତ ବିଦେଶୀଙ୍କ କହିବାନୁସାର, ସେମାନେ ନିଜ ପରିବାର ଏବଂ ସାଙ୍ଗସାଥୀଙ୍କୁ ଭାରତ ଆସିବା ପାଇଁ ନିଶ୍ଚୟ କହିବେ।
ଅଧିକାଂଶ ବିଦେଶୀ ଯାତ୍ରୀ ବିଶ୍ଵକପ୍ ସମୟରେ ୫ ରାତି ଭାରତରେ ରହିଛନ୍ତି। ଭାରତୀୟ ଲୋକ ମଧ୍ୟ ହାରାହାରି ଗୋଟିଏ ସହରରେ ଦୁଇ ରାତି କାଟିଛନ୍ତି। ଉଲ୍ଲେଖନୀୟ ୨୦୨୩ ବିଶ୍ଵକପ୍ ଫାଇନାଲରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ଷଷ୍ଠ ଥର ଚାମ୍ପିଅନ ହୋଇଥିଲା। ଆଉ ରୋହିତ ବାହିନୀଙ୍କ ତୃତୀୟ ଦିନିକିଆ ବିଶ୍ଵକପ୍ ଜିତିବା ସ୍ଵପ୍ନ ଧୂଳିସାତ ହୋଇଥିଲା।