ଭଗବାନ ହେଉଛନ୍ତି ଭକ୍ତର । ଭକ୍ତର ହେଉଛନ୍ତି ଭଗବାନ । ଯେଉଁ ଭକ୍ତ ଭଗବାନଙ୍କ ସ୍ୱରୂପକୁ ଏକାନ୍ତ ଚିତ୍ତରେ ପୂଜା କରେ ଆଉ ଯେଉଁ ଭକ୍ତ ଅବ୍ୟକ୍ତ ବ୍ରହ୍ମଙ୍କୁ ଉପାସନା କରିଥାଏ ସେ ହେଉଛି ଶ୍ରେଷ୍ଠ ଭକ୍ତ । ଭଗବାନ ଭକ୍ତର ଭକ୍ତିରେ ଜାତି, ଧର୍ମ, ବର୍ଣ୍ଣ କିଛି ଦେଖନ୍ତିନି । ଦେଖନ୍ତି ତ କେବଳ ଭକ୍ତର ଭକ୍ତି , ଶ୍ରଦ୍ଧା ଓ ଭଲପାଇବା । ସେଥିପାଇଁ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଚତୁର୍ଦ୍ଧାମୁରତି ରତ୍ନ ସିଂହାସନ ଛାଡି ସ୍ନାନବେଦୀରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଯେଉଁଠାରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ ହୋଇଥାଏ । ଆଉ ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧାମୁରତି ଦିବ୍ୟ ସ୍ନାନ କରିଥାନ୍ତି । ଆଉ ଏହି ମହାସ୍ନାନ ପରେ ଶ୍ରୀଜୀଉମାନେ ଭୀଷଣ ଜ୍ୱରରେ ଆକ୍ରାନ୍ତ ହୋଇ ଅଣସର ଘରେ ପଡ଼ିରହନ୍ତି ।
ଅଣସରର ତାଳତାଟି ଭିତରେ ମହାପ୍ରଭୁଙ୍କ ବଂଶଧର ଭାବେ ପରିଚିତ ଦଇତାପତି ସେବକମାନେ ସେମାନଙ୍କର ସେବାଶୁଶ୍ରୁଷା କରନ୍ତି । ଏହି ସମୟରେ ଭକ୍ତମାନେ ଦୀର୍ଘ ୧୫ଦିନ ଧରି ଗର୍ଭଗୃହରେ ଦାରୁବିଗ୍ରହଙ୍କ ବଦଳରେ ପଟିଦିଅଁଙ୍କୁ ଦର୍ଶନ କରିଥାନ୍ତି । ବଳଭଦ୍ରଙ୍କ ପଟିଦିଅଁ ବାସୁଦେବ, ଦେବୀ ସୁଭଦ୍ରାଙ୍କର ପଟିଦିଅଁ ଭାବେ ଦେବୀ ଭୁବନେଶ୍ୱରୀ ଓ ଜଗନ୍ନାଥଙ୍କ ପଟିଦିଅଁ ଭାବେ ନାରାୟଣ ପୂଜା ପାଇଥାଆନ୍ତି । ଆଷାଢ଼ ପ୍ରତିପଦାରୁ ଅମାବାସ୍ୟା ଯାଏଁ ଏକ ପକ୍ଷ ବ୍ୟାପୀ ଏହି ପଟି ଦେବତାଙ୍କ ଆଗରେ ଲାଗି ହିଏ ଭୋଗ । ଅଣସର ପିଣ୍ଡିରେ ଠାକୁରମାନଙ୍କୁ ପଣା ଓ ଚକଟା ଭୋଗ ଆଦି ଲାଗି କରାଯାଉଥିବା ବେଳେ ପଟିଦିଅଁଙ୍କୁ ଲାଗି ହୋଇଥାଏ ଅନ୍ନଭୋଗ । ତେବେ ବେଶ ଜଟିଳ ଏହି ଅଣସର ସେବା । ଯେଉଁଥିରେ ଅନେକ ଗୁପ୍ତ ନିତି ଅନୁଷ୍ଠିତ ହୋଇଥାଏ । ତେବେ ମାନବୀୟ ଲୀଳାରେ ଅଣସରଠାକୁରମାନଙ୍କୁ ଯେପରି ଜର ହୁଏ, ସେହିପରି ଜରର ଉପଚାର ମଧ୍ୟ କରାଯାଏ । ଏଥିପାଇଁ ଆବଶ୍ୟକ ହୋଇଥାଏ “ଫୁଲୁରି ତେଲ’ ଓ “ଦଶମୂଳ ମୋଦକ’ ।
ଫୁଲୁରି ତେଲ’ର ପ୍ରସ୍ତୁତିବିଧି ସ୍ୱତନ୍ତ୍ର । ଏହା ଏକ ପ୍ରକାରର ସୁବାସିତ ତେଲ । ଏହା ଘଣାପେଡ଼ା ରାଶି ତେଲରୁ ପ୍ରସ୍ତୁତ ହୋଇଥାଏ । ବେଣା ଚେର ଓ କୃଷ୍ଣଭୋଗ ଧାନ ସହିତ ମାଳତୀ, କିଆ, କେତକୀ ଓ ବଉଳ ଫୁଲ ପଡ଼ି ପ୍ରାକୃତିକ ପଦ୍ଧତିରେ ଏହାକୁ ପ୍ରସ୍ତୁତ କରାଯାଏ । ଏଥିପାଇଁ ପାଞ୍ଚସେର ରାଶି ତେଲ ଲାଗିଥାଏ । ତେଲ ଓ ଫୁଲ ଏହାର ମୁଖ୍ୟ ଉପାଦାନ ହୋଇଥିବାରୁ ଏହାକୁ “ଫୁଲୁରି ତେଲ’ କୁହାଯାଏ । ନବକଳେବର ବର୍ଷରେ ଏହି ତେଲର ପରିମାଣ ଦୁଇଗୁଣ ହୋଇଥାଏ । ମୁହଁ ବନ୍ଦ ମାଟିପାତ୍ରରେ ଏସବୁକୁ ରଖି ମାଟି ତଳେ ପୋତି ଦିଆଯାଏ । ପୂରା ବର୍ଷଟିଏ ମାଟି ଭିତରେ ରହିବା ପରେ ତାହାକୁ ବାହାର କରି, ଛାଣି “ଫୁଲୁରିଲାଗି’ ନୀତି ପାଇଁ ଶ୍ରୀମନ୍ଦିରକୁ ପଠାଯାଏ । ଆଷାଢ଼ କୃଷ୍ଣ ପଞ୍ଚମୀ ବା “ଅଣସର ପଞ୍ଚମୀ’ ଦିନ ଏହି ନୀତି ହୁଏ । ଓଡ଼ିଆ ଭାଗବତକାର ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ବଡ଼ଓଡ଼ିଆ ମଠ ଏହା ଯୋଗାଇ ଥାଆନ୍ତି । ଏହି ତେଲକୁ ଶ୍ରୀଅଙ୍ଗରେ ମାଲିସ୍ କଲେ, ଜ୍ୱରଜନିତ ଦେହ ଦରଜର ଉପଶମ ହୋଇଥାଏ ବୋଲି ବିଶ୍ୱାସ ରହିଛି ।