ଆଜି କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥି ବା ପଞ୍ଚୁକର ଦ୍ୱିତୀୟ ଦିନ । ଶ୍ରୀମନ୍ଦିରରେ ବାଙ୍କଚୂଡ଼ ବେଶରେ ଦର୍ଶନ ଦେଇଥାନ୍ତି ମହାପ୍ରଭୁ । ଏହି ବେଶରେ ମହାପ୍ରଭୁ ସୁବର୍ଣ୍ଣର ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି । ମହାପ୍ରଭୁଙ୍କ ସମସ୍ତ ବେଶର ଅନେକ କାରଣ ରହିବା ସସହ ମହତ୍ୱ ରହିଛି । ଯେତେବେଳେ ଅକ୍ରୁର ଗୋପପୁରକୁ ଯାଇଥିଲେ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମଥୁରାକୁ ଆଣିବାକୁ, ସେହି ସମୟରେ ବ୍ରଜ ଦାଣ୍ଡରେ ଅକ୍ରୁର ଏହି ବେଶରେ ପ୍ରଭୁଙ୍କୁ ଦର୍ଶନ କରିଥିଲେ। ବହୁ ପୁରାତନ କାଳରୁ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ପାଳିତ ହୋଇଆସୁଛି ।
ଗତକାଲି ପଞ୍ଚୁକର ପ୍ରଥମ ଦିନରେ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଇଥିଲାବେଳେ ଆଜି ପ୍ରଭୁଙ୍କ ବାଙ୍କଚୂଡ଼ ବେଶ। ରତ୍ନ ସିଂହାସନରେ ବିଜେ କରିଥିବା ପ୍ରଭୁ ଜଗନ୍ନାଥ ,ବଳଭଦ୍ର ଓ ମା ସୁଭଦ୍ରାଙ୍କୁ ଅବକାଶ ନୀତି ପରେ ସୁନାର ଅଳଙ୍କାରରେ ବିଭୂଷିତ କରାଯାଇଥାଏ । ଏହି ବେଶରେ ମହାପ୍ରଭୁ ଚୁଡା ମଧ୍ୟ ଧାରଣ କରିଥାନ୍ତି। ମସ୍ତକରେ ଏହି ଚୁଡା ବା ଚୁଳ ଦକ୍ଷିଣ ଦିଗକୁ ଢଳି ରହିଥାଏ। ଏଣୁ ମହାପ୍ରଭୁଙ୍କ ଏହି ବେଶକୁ ବାଙ୍କଚୁଡ଼ ବେଶ କୁହାଯାଏ ।
ବାଙ୍କଚୂଡ଼ ବେଶର ବିଶେଷତ୍ୱ ହେଉଛି, ବଡ଼ଠାକୁର ବଳଭଦ୍ରଙ୍କ ଏହି ବେଶରେ ମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଖୋସା ପଡ଼େ। ଏହି ଖୋସାର(ବେଣି) ଅଗ୍ରଗଣ୍ଠିରେ ଏକ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ। ଏକ ଛୋଟ ସ୍ୱର୍ଣ୍ଣ କିରୀଟ ମହାପ୍ରଭୁଙ୍କ କପାଳର ଶୀର୍ଷ ଭାଗରେ ଶୋଭା ପାଇଥାଏ। ଏହି ବେଶରେ ଠାକୁରମାନେ ଅବିକଳ ବାମନ ବେଶ ପରି ଦୃଶ୍ୟମାନ ହୋଇଥାନ୍ତି। ଏହି ବେଶକୁ ପାଳିଆ ମେକାପ, ଖୁଣ୍ଟିଆ, ଚାଙ୍ଗଡ଼ା ମେକାପ, ପାଳିଆ ପୁଷ୍ପାଳକମାନେ ସମ୍ପନ୍ନ କରିଥାନ୍ତି । ପରେ ଗରୁଡ଼ ଉତ୍ଥାପନ ନୀତି ଅନୁଷ୍ଠିତ ହୋଇଥାଏ । ଗରୁଡ଼ ଉତ୍ଥାପନ ନୀତି ପରେ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ଓ ଭୋଗ ନୀତି ସମ୍ପନ୍ନ ମଧ୍ୟ ହୋଇଥାଏ । ତେବେ ଆଜିର ତିଥିରେ ମହାପ୍ରଭୁଙ୍କ ଏହି ଚିତାକର୍ଷକ ବେଶ ଯିଏ ଦର୍ଶନ କରିଥାନ୍ତି ତାଙ୍କୁ ଅପାର ଆନନ୍ଦ ଲାଭ ସହ ଜନ୍ମଜନ୍ମାନ୍ତର ପାପରୁ ମୁକ୍ତିମିଲେ ବୋଲି ବିଶ୍ୱାସ ରହିଛି ।
ଅଧିକ ପଢନ୍ତୁ :ପାତାଳି ଶ୍ରୀକ୍ଷେତ୍ରରୁ ଆସିଲା ତୁଳସୀ ରଥ