ବହୁ ପ୍ରତୀକ୍ଷାର ଅନ୍ତ ପରେ ପ୍ରତିଷ୍ଠା ହେବାକୁ ଯାଉଛି ରାମ ମନ୍ଦିର । ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ ଉତ୍ତରପ୍ରଦେଶର ଅଯୋଧ୍ୟା ଠାରେ ନିର୍ମାଣାଧୀନ ରାମ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଭାରତ ଇତିହାସରେ ଲିପିବଦ୍ଧ ହେବାକୁ ଯାଉଛି ୨୨ ଜାନୁଆରୀ ୨o୨୪ ତାରିଖ। ଏହି ଦିନ ଅଯୋଧ୍ୟାରେ ନିର୍ମାଣ ହେଉଥିବା ଭବ୍ୟ ଓ ଦିବ୍ୟ ମନ୍ଦିରରେ ହେବ ଭଗବାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହି କାର୍ଯ୍ୟକ୍ରମ ସେହି ଦିନ ମଧ୍ୟାନ୍ନ ୧୨:୩୦ ସମୟରେ ଆୟୋଜିତ ହେବ। ସେଥି ନିମନ୍ତେ ଅଯୋଧ୍ୟା ଠାରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଏହି ଉଦ୍ଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବା ସହିତ ୪ ହଜାର ସାଧୁସନ୍ଥ ଓ ୨୫ ଶହ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଉପସ୍ଥିତ ରହିବେ । ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇ ଏହା ୧୦ ଦିନ ଧରି ଚାଲିବ ।
ସୂଚନା ଥାଉ କି, ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସଂପାଦକ ଚମ୍ପତ ରାୟ ଓ ଅନ୍ୟ କର୍ମକର୍ତ୍ତା ଗତକାଲି ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ତାରିଖ ଘୋଷଣା କରିଛନ୍ତି । ଶ୍ରୀ ରାମ ଜନ୍ମଭୂମି ଟ୍ରଷ୍ଟର ଅଧିକାରୀଙ୍କ ସହ ସାକ୍ଷାତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଖୁସି ବ୍ୟକ୍ତ କରିଛନ୍ତି। ଏହାକୁ ନେଇ ମୋଦି ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି କହିଛନ୍ତି ଯେ -"ଜୟ ସିଆରାମ! ଆଜି ଏକ ଭାବନାରେ ପରିପୂର୍ଣ୍ଣ ଦିନ। ଆଜି ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ଅଧିକାରୀ ମୋ ବାସଭବନରେ ମୋତେ ଭେଟିବାକୁ ଆସିଥିଲେ। ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅବସରରେ ସେମାନେ ମୋତେ ଅଯୋଧ୍ୟା ଆସିବାକୁ ନିମନ୍ତ୍ରଣ କରିଛନ୍ତି। ମୁଁ ନିଜକୁ ବହୁତ ଧନ୍ୟ ମନେ କରୁଛି। ଏହା ମୋର ସୌଭାଗ୍ୟ ଯେ ମୁଁ ମୋ ଜୀବନ କାଳରେ ଏପରି ଐତିହାସିକ ଘଟଣାର ସାକ୍ଷୀ ହେବି। "।
ସୂଚନା ଯୋଗ୍ୟ ଯେ, ଅଯୋଧ୍ୟା ଗସ୍ତ ପୂର୍ବରୁ ମୁସଲମାନମାନେ ନୂତନ ବାବ୍ରି ମସଜିଦର ମୂଳଦୁଆ ପକାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ୨୦୧୯ରେ ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଶୁଣାଣି ପରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ରାସ୍ତା ପରିଷ୍କାର ହୋଇଥିଲା । ସେଥିରେ କୁହାଯାଇଥିଲା ଯେ ୨.୭୭ ଏକର ଜମିରେ ରାମ ମନ୍ଦିର ନିର୍ମାଣ କରାଯିବ ଏବଂ ବାବ୍ରି ମସଜିଦ ନିର୍ମାଣ ପାଇଁ ମୁସଲମାନମାନଙ୍କୁ ଧାନନିପୁରରେ ୫ ଏକର ଜମି ଦିଆଯିବ। ତାପରେ ରାମ ମନ୍ଦିର ନିର୍ମାଣ କ୍ଷେତ୍ରରେ ସମସ୍ତ ନିଷ୍ପତ୍ତି ନେବାକୁ କେନ୍ଦ୍ର ସରକାର ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଗଠନ କରିଥିଲେ। ଟ୍ରଷ୍ଟର ତତ୍ୱାବଧାନରେ ମନ୍ଦିର ନିର୍ମାଣ କାମ ଜୋରସୋରରେ ଅଗ୍ରଗତି କରୁଛି। ଡିସେମ୍ବର ମାସ ସୁଦ୍ଧା ମନ୍ଦିର ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ରଖିଛି ଟ୍ରଷ୍ଟ । ୨୦୨୦ ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।
ଅଧିକ ପଢ଼ନ୍ତୁ : ଅଯୋଧ୍ୟାରେ ନିର୍ମିତ ପ୍ରଭୁ ଶ୍ରୀରାମ ମନ୍ଦିର ପାଇଁ ହେବ ପୂଜକ ନିଯୁକ୍ତି