ଭାବାନଗର: ଗୁଜରାଟର ଭାବାନଗର ଜିଲ୍ଲା ପାଲିଟାନା ସହରରେ ପ୍ରଶାସନ ଦ୍ବାରା ଐତିହାସିକ ନିଷ୍ପତ୍ତି ନିଆଯାଇଛି। ପାଲିଟାନା ସହରରେ ମାଂସାହାରୀ ଭୋଜନ ଉପରେ ସଂପୂର୍ଣ୍ଣ ରୂପେ କଟକଣା ଲଗାଯାଇଥିବା ସମ୍ଭାବିତ ପ୍ରଥମ ସହର ବୋଲି କୁହାଯାଉଛି। ଏହି ଐୖତିହାସିକ ନିଷ୍ପତ୍ତି ଅଧିକାରୀମାନେ ନେଇଛନ୍ତି। ଏଣିକି ଏହି ସହରର ଲୋକେ କେବଳ ଶୁଦ୍ଧ ଶାକାହାରୀ ଭୋଜନ ଖାଇବେ। ଏହି ସହରକୁ ଆସୁଥିବା ପର୍ଯ୍ୟଟକଙ୍କୁ ମଧ୍ୟ କେବଳ ଶୁଦ୍ଧ ଶାକାହାରୀ ଭୋଜନ ମିଳିବ।
ପାଲିଟାନା ଜୈନ ଧର୍ମ ପାଇଁ ଏକ ପ୍ରସିଦ୍ଧ ତୀର୍ଥସ୍ଥଳୀ। ଏବେ ଏହି ସହରରେ ମାଂସାହାରୀ ଭୋଜନ ପ୍ରତି କଟକଣା ଲଗାଯିବା ପରେ ମାଂସ ବିକ୍ରି ଓ ଚାଲାଣ ସହିତ ମାଂସ ପାଇଁ ପଶୁଙ୍କ ହତ୍ୟା କରାଯିବା ବେଆଇନ ଏବଂ ଆଇନଗତ ଦଣ୍ଡନୀୟ ଅପରାଧ।
ଏହି ନିଷ୍ପତ୍ତି ୨୦୦ରୁ ଅଧିକ ଜୈନ ଭିକ୍ଷୁମାନଙ୍କ ଦ୍ବାରା କରାଯାଇଥିବା ବିରୋଧ ପ୍ରଦର୍ଶନ ପରେ ନିଆଯାଇଛି। ଯେଉଁମାନେ କି ୨୫୦ରୁ ଅଧିକ କଂସେଇଖାନା ବନ୍ଦ କରିବାକୁ ଦାବି କରିଥିଲେ। ଜୁନାଗଡ଼ ଓ ଅହମଦାବାଦରେ ମଧ୍ୟ ଏହି ଭଳି ନିୟମ ଲାଗୁ କରାଯାଇଛି। ମାଂସାହାରୀ ଭୋଜନକୁ ନେଇ ବିରୋଧ କରିଥିବା ଲୋକଙ୍କ ଯୁକ୍ତି ଯେ, ମାଂସର ପ୍ରଦର୍ଶନ ଦ୍ବାରା ତାଙ୍କର ଭାବନାକୁ ଆଘାତ ପହଞ୍ଚାଇଥାଏ। ଶିଶୁମାନଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ।
ପାଲିଟାନା ସହରରେ ମାଂସାହାରୀ ଭୋଜନ ଉପରେ କଟକଣାକୁ ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଯେଲ ମଧ୍ୟ ସମର୍ଥନ ଜଣାଇଛନ୍ତି। ଏହାକୁ ନେଇ ସେ କହିଛନ୍ତି ତାଙ୍କ ଉଦେଶ୍ୟ ବ୍ୟସ୍ତବହୁଳ ରାସ୍ତାରେ ମାଂସ ଦୋକାନ ରହିବା ଦ୍ବାରା ଗମନାଗମନରେ ଅସୁବିଧା ପହଞ୍ଚୁଛି। ସାଂସ୍କୃତିକ-ସମ୍ବେଦନଶୀଳତା ଏବଂ ବ୍ୟବହାରିକ ସହରୀ ପରିଚାଳନା ଉପରେ ପ୍ରଭାବ ପକାଉଛି।
ସୂଚନାଯୋଗ୍ୟ, ପାଲିଟାନା ଜୈନମୁନୀଙ୍କ ପାଇଁ ପବିତ୍ର ସ୍ଥାନ। ଏହା ଶତ୍ରୁଜୟ ପାହାଡ଼ରେ ଅବସ୍ଥିତ। ଏହାକୁ ଜୈନମନ୍ଦିର ସହର ଭାବେ ଜଣାଯାଏ। ପାଲିଟାନାରେ ୮୦୦ ଜୈନ ମନ୍ଦିର ରହିଛି। ଆଦିନା ମନ୍ଦିର ସବୁଠାରୁ ପୁରୁଣା। ଭଗବାନ ଆଦିନାଥଙ୍କୁ ସମର୍ପିତ, ଯିଏକି ଜୈନଧର୍ମର ପ୍ରଥମ ତୀର୍ଥଙ୍କର ଥିଲେ। ପର୍ଯ୍ୟଟନ ଓ ଧାର୍ମିକ ଦୃଷ୍ଟିକୋଣରୁ ଏହିସ୍ଥାନର ଗୁରୁତ୍ବ ମଧ୍ୟ ରହିଛି।