ଧୀରେ ଧୀରେ ମଳିନ ପଡ଼ିଗଲାଣି ଦ୍ଵାପର ଯୁଗର ପୌରାଣିକ କିର୍ତ୍ତୀରାଜି । ଲକ୍ଷ୍ୟଧିକ ଶୁଦ୍ଧାଳୁଙ୍କ ଭାବାବେଗ ସହ ମଧ୍ୟ ଜଡ଼ିତ ପୀଠକୁ ଦର୍ଶନ କରିବା ପାଇଁ ଯିବାକୁ ନା ଅଛି ଭଲ ରାସ୍ତା ନା ବିଜୁଳି ଆଲୋକ। ସନ୍ଧ୍ୟା ହେଉ ହେଉ ମାଡି ଆସୁଛି ଘନ ଅନ୍ଧକାର । ଖାଲି ସେତିକି ନୁହେଁ ସେଠାରେ ରହଣି ବ୍ୟବସ୍ଥା ନଥିବାରୁ ହଟ ହଟା ହେଉଛନ୍ତି ସାଧାରଣ ଲୋକେ । ଏପରିକି ମୁନ୍ଦାଏ ପିଇବା ପାଣି ପାଇଁ ସଂଘର୍ଷ କରୁଛନ୍ତି ପର୍ଯ୍ୟଟକ । ପ୍ରଶାସନ ଅଭାବରୁ ଘନ ଜଙ୍ଗଲ ଭିତରେ ହଜିଯିବାକୁ ବସିଛି ପଞ୍ଚୁପାଣ୍ଡବପୀଠ ।
ରାସ୍ତା ,ବିଦ୍ୟୁତ ସଂଯୋଗ ,ବିଶ୍ରାମସ୍ଥଳୀ ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ସେହି ପରି ପଞ୍ଚତୀର୍ଥ କ୍ଷେତ୍ର ମଧ୍ୟରୁ ମହୋଦଧି , ମାର୍କଣ୍ଡ , ଇନ୍ଦ୍ରଦ୍ୟୁମ୍ନ, ଶ୍ବେତଗଙ୍ଗାକୁ ବାଦ୍ ଦେଲେ ଅନ୍ୟତମ ତୀର୍ଥ ଅର୍ଜୁନେଶ୍ୱର ପୀଠ ରହିଛି । ଏହିଠାରୁ ସଂଗ୍ରହ କରି ଶ୍ରୀ ଅଲାରନାଥ ଦେବଙ୍କ ପୁଷ୍ୟାଭିଷେକ ନୀତି କରାଯାଇଥାଏ। ତେବେ ୬ ଏକର ଅଞ୍ଚଳରେ ପରିବ୍ୟାପ୍ତ ଅର୍ଜୁନସର ଏବଂ ୧୬ ଏକର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ପ୍ରସିଦ୍ଧ ଚକୁଳେଶ୍ୱରଙ୍କ ପୁଷ୍କରିଣୀ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏ ବିଷୟରେ ଗବେଷକମାନେ ଗବେଷଣା କରିବା ଲାଗି ପଞ୍ଚୁପାଣ୍ଡବ ପୀଠକୁ ଆସୁଛନ୍ତି। କିନ୍ତୁ ରହଣି ସୁବିଧା ନଥବା ଏବଂ ପ୍ରତିକୂଳ ପରିବେଶ ଯୋଗୁ ସେମାନେ ଫେରି ଯାଉଛନ୍ତି।
ଶ୍ରୀଅଲାରନାଥ, ମା' ବାଲିହରଚଣ୍ଡୀ, ଉଦକୁଣ୍ଡଳେଶ୍ଵର ଭଳି ପ୍ରାଚୀନ ପୀଠ ସମେତ ସାତପଡ଼ା ଚିଲିକାର ନୈସର୍ଗିକ ଦୃଶ୍ୟ ଉପଭୋଗ କରିବାକୁ ବର୍ଷତମାମ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । କିନ୍ତୁ ବ୍ରହ୍ମଗିରିଠାରୁ ହାରାହାରି ୧୦ କିମି ପରିଧିରେ ଥିବା ଶ୍ରୀ ମହାଦେବ, ଶ୍ରୀ ରାମେଶ୍ଵର, ଶ୍ରୀ ଅର୍ଜୁନେଶ୍ଵର, ଶ୍ରୀ ନଶ୍ୱର, ଶ୍ରୀହରି ସହଳ ପାଠକୁ ନେଇ ପରିକଳ୍ପିତ ପଞ୍ଚୁପାଣ୍ଡବ ପୀଠର ଆଧାତ୍ମିକତା ଗୁରୁତ୍ୱ ଥିବା ସତ୍ତ୍ୱେ ପ୍ରୋତ୍ସାହନ ଅଭାବରୁ ଏହା ଦୃଷ୍ଟି ଆଢୁଆଳରେ ରହିଯାଇଛି। ପ୍ରଶାସନ ତରଫରୁ କୌଣସି ସୁବିଧା ସୁଯୋଗ କରାନ ଯିବାରୁ ସାଂସ୍କୃତିକ ପୀଠର ଏଭଳି ଅବସ୍ଥା ହୋଇଛି ବୋଲି କୁହାଯାଉଛି । ଏନେଇ ପୌରାଣିକ ପୀଠ ଗୁଡିକର ରକ୍ଷଣା ବେକ୍ଷଣ କରିବାକୁ ଦାବି କାରାଯାଉଛି ।
ଅଧିକ ପଢନ୍ତୁ :ରହସ୍ୟମୟ ଦ୍ୱାରିକା ନଗରୀ