ପବିତ୍ର ଖଳିଲାଗି ଏକାଦଶୀରେ ଶ୍ରୀମନ୍ଦିରରେ ମହାଦୀପ ଆଳତି ଅନୁଷ୍ଠିତ ହୋଇଯାଇଛି। ସମଗ୍ର ଜଗତର ମଙ୍ଗଳ କାମନା ରୂପକ ମହାନ ଉଦ୍ଦେଶ୍ୟରେ ଏହି ଦୀପ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରାଯାଏ।
ଶ୍ରୀମନ୍ଦିରରେ ପ୍ରତ୍ୟେକ ଏକାଦଶୀ ଦିନ ରାତ୍ରରେ ଏହି ମହାଦୀପ ଆଳତି ହୁଏ । ଏହା ପୂର୍ବରୁ ସନ୍ଧ୍ୟା ଧୂପ ପରେ ଚୂନରା ସେବକ ତିନୋଟି ରୂପା କଳସ ଆଣି ସେଥିରେ କଞ୍ଚା କଦଳୀ ବାସୁଙ୍ଗାରେ ନୂଆ କନା ଗୁଡ଼ାଇ, ଘିଅ ଦ୍ବାରା ବଳିତା ନିର୍ମାଣ କରିଥାନ୍ତି ।
ଏହି ଘୃତପୂର୍ଣ୍ଣ କଳସ ଗୁଡିକରେ ବାସୁଙ୍ଗା ବୁଡି ରହିଥାଏ ଓ ବଳିତା କାଠି ଉପରକୁ ଥାଏ । ତାପରେ ଏହାକୁ ସମ୍ପୃକ୍ତ ସେବକ ରତ୍ନ ସିଂହାସନ ପାଖକୁ ନେଇ ଯାଇଥାନ୍ତି । ତାପରେ ତିନି ବାଡ଼ରେ ପୂଜାପଣ୍ଡା ସେବକ ଏହି ବଳିତା ଗୁଡିକୁ ସଂସ୍କାର କରି ମହାଦୀପ ଆଳତି କରନ୍ତି । ଏହି ମହାଦୀପ ରତ୍ନ ସିଂହାସନର ଚତୁଃପାର୍ଶ୍ୱ ପରିକ୍ରମା କରି ଜୟ ବିଜୟ ଦ୍ୱାର ଦେଇ ମା ବିମଳାଙ୍କ ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ । ଏହି ସମୟରେ ଘଟୁଆରି, ଚୂନରା ସେବକଙ୍କୁ ବାରଟି ଚନ୍ଦ୍ରଉଦିଆ ଦିଅନ୍ତି ଓ ଚୂନରା ସେବକ ଶ୍ରୀନୀଳଚକ୍ରଙ୍କ ପାଇଁ ଉଦ୍ଦିଷ୍ଟ ତୁଳସୀ, ଚନ୍ଦନ ଆଦି ପୂଜାପଣ୍ଡାଙ୍କ ଠାରୁ ନେଇଥାନ୍ତି । ତାପରେ କଳସ ରଖିଦେଇ ମହାଦୀପ, ଚନ୍ଦ୍ରଉଦିଆ ଧରି ତିନିଜଣ ଚୂନରା ସେବକ ମନ୍ଦିର ଉପରକୁ ଯାଆନ୍ତି । ସାଙ୍ଗରେ ସେମାନେ ନଡ଼ିଆ କତା ଲଗାଇ ନିଆଁ ନେଇଥାନ୍ତି । ଶ୍ରୀମନ୍ଦିର ଶୀର୍ଷରେ ପହଞ୍ଚିବା ପରେ ଦଧିନଉତି ତଳେ ଦଣ୍ଡାୟମାନ ହୋଇ ସେମାନେ ତୁଳସୀ, ଚନ୍ଦନ ଆଦି ଶ୍ରୀନୀଳଚକ୍ରଙ୍କୁ ଲାଗି କରି ମହାଦୀପ ଓ ଚନ୍ଦ୍ରଉଦିଆ ଲଗାଇ ଅଁଳା ବେଢ଼ାକୁ ତିନି ଘେରା ପରିକ୍ରମା କରିଥାନ୍ତି ଏବଂ ପ୍ରତ୍ୟେକ ଦିଗରେ ତିନୋଟି ଲେଖାଏଁ ଚନ୍ଦ୍ରଉଦିଆ ଜାଳନ୍ତି । ପରିକ୍ରମା ସମୟରେ ଚୂନରା ସେବକ ମହାପ୍ରଭୁ ଓ ପୁରୀ ଗଜପତି ମହାରାଜାଙ୍କର ନାମ ଉଚ୍ଚାରଣ କରି ଜଗତ ମଙ୍ଗଳକାରୀ ଡାକ ଦେଇଥାନ୍ତି ।