ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀକୁ ନାମ ‘ହରିଶୟନ’ ବା ପଦ୍ମା ଏକାଦଶୀ କୁହାଯାଇଥାଏ। ଏହି ଏକାଦଶୀ ଠାରୁ ଆଗାମୀ ୪ ମାସ ପର୍ଯ୍ୟନ୍ତ ଭଗବାନ ବିଷ୍ଣୁ ଯୋଗନିଦ୍ରାରେ ରହିଥାନ୍ତି। ଏଥି ପାଇଁ ଏହି ୪ ମାସରେ ଶୁଭ ଓ ମାଙ୍ଗଳିକ କାର୍ଯ୍ୟକୁ ବର୍ଜନ କରାଯାଇଥାଏ। ଏହି ଦିନ ଯିଏ କମଳ ପୁଷ୍ପରେ କମଳଲୋଚନ ଭଗବାନ ବିଷ୍ଣୁଙ୍କ ପୂଜା ତଥା ଉତ୍ତମ ଏକାଦଶୀ ବ୍ରତ କରେ, ତା’ଦ୍ୱାରା ତିନିଲୋକ ଓ ତିନି ସନାତନ ଦେବତାଙ୍କ ପୂଜନ ହୋଇଥାଏ। ‘ହରିଶୟନ ଏକାଦଶୀ’ ଦିନ ଭଗବାନଙ୍କ ଗୋଟିଏ ସ୍ୱରୂପ ରାଜା ବଳିଙ୍କ ପାଖରେ ରହେ ଓ ଅନ୍ୟଟି କ୍ଷୀର ସାଗରରେ ଶେଷନାଗ ଶଯ୍ୟାରେ ଆଗାମୀ କାର୍ତ୍ତିକ ଏକାଦଶୀ ଆସିବା ପର୍ଯ୍ୟନ୍ତ ଶୟନ କରିଥାନ୍ତି। ଏଣୁ ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀଠାରୁ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ପର୍ଯ୍ୟନ୍ତ ମନୁଷ୍ୟ ଉତ୍ତମ ରୂପେ ଧର୍ମ ଆଚରଣ କରିବା ଉଚିତ। ଯେଉଁ ମନୁଷ୍ୟ ଏହି ବ୍ରତ କରନ୍ତି, ତାଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ। ଏଣୁ ଯତ୍ନପୂର୍ବକ ଏହି ଏକାଦଶୀ ବ୍ରତ ପାଳନ କରିବା ଉଚିତ୍।
ଏକାଦଶୀ ରାତିରେ ଉଜାଗର ରହି ଶଙ୍ଖ, ଚକ୍ର ଓ ଗଦାଧାରୀ ଭଗବାନ ବିଷ୍ଣୁଙ୍କ ଭକ୍ତିପୂର୍ବକ ପୂଜା କରିବା ଉଚିତ। ଏହି ବ୍ରତ କରୁଥିବା ମନୁଷ୍ୟର ପୁଣ୍ୟର ଗଣନା କରିବାକୁ ସ୍ୱୟଂ ଚତୁର୍ମୁଖ ବ୍ରହ୍ମା ମଧ୍ୟ ଅସମର୍ଥ। ଯିଏ ଏହି ପ୍ରକାର ଭୋଗ ଓ ମୋକ୍ଷ ପ୍ରଦାନକାରୀ ସର୍ବପାପହାରୀ ଉତ୍ତମ ଏକାଦଶୀ ବ୍ରତ ପାଳନ କରେ, ସେ ଜାତିରେ ଚଣ୍ଡାଳ ହୋଇଥିଲେ ମଧ୍ୟ ସଂସାରରେ ସର୍ବଦା ବିଷ୍ଣୁଙ୍କର ଅତି ପ୍ରିୟ ହୋଇ ରହେ। ଯେଉଁ ମନୁଷ୍ୟ ଦୀପଦାନ, ପଳାଶ ପତ୍ରରେ ଭୋଜନ ଏବଂ ବ୍ରତ କରି ଚତୁର୍ମାସ ଅତିବାହିତ କରେ ସେ ମଧ୍ୟ ବିଷ୍ଣୁଙ୍କର ଅତି ପ୍ରିୟ ହୋଇପାରନ୍ତି। ଚତୁର୍ମାସରେ ଭଗବାନ ବିଷ୍ଣୁ ଶୋଇ ରହନ୍ତି, ଏଥିପାଇଁ ମନୁଷ୍ୟ ଭୂମିରେ ଶୟନ କରିବା ଉଚିତ। ଶ୍ରାବଣ ମାସରେ ଶାଗ, ଭାଦ୍ରବ ମାସରେ ଦହି, ଆଶ୍ୱିନ ମାସରେ ଦୁଧ ଏବଂ କାର୍ତ୍ତିକ ମାସରେ ଡାଲି ତ୍ୟାଗ କରିଦେବା ଉଚିତ। ଯିଏ ଚତୁର୍ମାସରେ ବ୍ରହ୍ମଚର୍ଯ୍ୟ ପାଳନ କରେ, ସେ ପରମଗତି ପ୍ରାପ୍ତ ହୁଏ। ଏକାଦଶୀ ବ୍ରତଦ୍ୱାରା ହିଁ ମନୁଷ୍ୟ ସବୁ ପାପରୁ ମୁକ୍ତ ହୋଇଯାଏ। ଏଣୁ ସର୍ବଦା ଏହି ବ୍ରତ କରିବା ଉଚିତ।
ବିଷ୍ଣୁ ଓ ଦେବର ଅର୍ଥ ତେଜ ତତ୍ବରୁ ଉତ୍ପତ୍ତି। ଏହି ସମୟରେ ସୂର୍ଯ୍ୟ, ଚନ୍ଦ୍ର ଓ ପ୍ରକୃତିରେ ଚମକ କମ ଦେଖାଯାଇଥିାଏ। ଏଥି ପାଇଁ କୁହାଯାଇଥାଏ ଭଗବାନ ହରି ଶୟନ କରିଛନ୍ତି। ତେଜସ୍କ୍ରିୟ ଶକ୍ତି କମ ହେବା କାରଣରୁ କାରଯାଇଥିବା କାମର ପରିଣାମ ଶୁଭ ହୁଏ ନାହିଁ। କାମରେ ବାଧା ପହଞ୍ଚିବାର ମଧ୍ୟ ଆଶଙ୍କା ଥାଏ। ଏଥି ପାଇଁ ହରିଶନୟ ପରେ ଶୁଭକାର୍ଯ୍ୟ କରାଯାଇ ନଥାଏ।
ହରିଶୟନ ଏକାଦଶୀରେ ଭଗବାନ ବିଷ୍ଣୁଙ୍କ ବିଭିନ୍ନ ପୂଜାରୁ ସାମୂହିକ ପାପ ଓ ସମସ୍ୟା ନାଶ ହୋଇଥାଏ। ବ୍ୟକ୍ତିମନରେ ଶୁଦ୍ଧତା ଆସିଥାଏ। ଦୁର୍ଘଟଣାର ଯୋଗ ହ୍ରାସ ପାଇଥାଏ। ଏହି ଏକାଦଶୀ ପରେ ଶରୀର ଓ ମନକୁ ନବୀନ ରୂପ ମିଳିଥାଏ। ହରିଶନୟ ଏକାଦଶୀରେ ରାତ୍ରିକାଳରେ ସ୍ବତନ୍ତ୍ର ନିୟମ ସହିତ ଭଗବାନଙ୍କୁ ପୂଜାର୍ଚ୍ଚନା କରନ୍ତୁ। ହଳିଦିଆ ଜିନିଷ, ବିଶେଷ ଭେବେ ହଳଦିଆ ରଂଗର ବସ୍ତ୍ର ଅର୍ପଣ କରନ୍ତୁ। ଧୂପ, ଦୀପ, ଫଳ, ଫୁଳ ଅର୍ପଣ କରନ୍ତୁ। ହରି ମନ୍ତ୍ରୀ ଜପ କରନ୍ତୁ। ଆରତୀ ପରେ ମନ୍ତ୍ରରେ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କରନ୍ତୁ। ଏହା କରିବା ଦ୍ବାରା ଜୀବନ ଖୁସିରେ ଅତିବାହିତ ହୋଇଥାଏ।
ହରିଶୟନ ଏକାଦଶୀ ବ୍ରତ ଦ୍ବାଦଶୀ ତିଥି ଶେଷ ହେବା ପୂର୍ବରୁ କରନ୍ତୁ। ହରିଶୟନ ଏକାଦଶୀ ପରେ ଚତୁର୍ମାସରେ ସାତ୍ବିକ ଭୋଜନ କରନ୍ତୁ। ଏହି ସମୟରେ ପିଆଜ, ରସୁଣ, ଆମିଷ ଠାରୁ ଦୂରରେ ରୁହନ୍ତୁ। ବ୍ରହ୍ମଚର୍ଯ୍ୟ ହେଉଛି ଏହି ସମୟରେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କାମ।