୫୦୦ ଶହ ବର୍ଷ ତଳର କଥା। ଶ୍ରୀକ୍ଷେତ୍ର ପୁରୀକୁ ଆସିଥିଲେ ଗୁରୁ ନାନକ। ସେ ନିଜ ଶିଷ୍ୟ ମର୍ଦ୍ଦନଙ୍କ ସହ ପୁରୀ ଆସିଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ ନିରାକାର ସତ୍ତାକୁ ଗ୍ରହଣ କରି ସେ ଅଭିଭୂତ ହେଲେ। ପାଲଟି ଯାଇଥିଲେ ଶ୍ରୀଜିଉଙ୍କ ପରମ ଭକ୍ତ। କଥାରେ ଅଛି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ନାନକ ଦେବଙ୍କ ପାଇଁ ନିଜ ରତ୍ନଥାଳି ବଢ଼ାଇ ଦେଇଥିଲେ। ସେଇ ରତ୍ନଥାଳୀ ନାନକଙ୍କୁ କବି କରି ଦେଇଥିଲେ, ସେ ଲେଖିଥିଲେ “ଗଗନ ମେ ଥାଲ୍, ରବ୍ ଚନ୍ଦ ଦୀପକ୍ ବନେ, ତାରକା ମଣ୍ଡଲ ଜନ୍ନକ ମୋତି…”। ଯାହାର ଅର୍ଥ ଗଗନ ଥାଳିରେ ସୂର୍ଯ୍ୟ ଆଉ ଚନ୍ଦ୍ର ଦୀପ ହୋଇ ମହାପ୍ରଭୁଙ୍କୁ ନିତ୍ୟ ବନ୍ଦନା କରୁଛନ୍ତି। ଆଉ ସମଗ୍ର ମାନବ ସମାଜ ଓ ଜୀବସତ୍ତା ବଞ୍ଚି ରହିଛି ଓ ଆଲେୋକିତ ହେଉଛି।
ଆଜି କାର୍ତ୍ତିକ ପୂର୍ଣ୍ଣିମା। ଶିଖ୍ ଗୁରୁ ନାନକ ଦେବଜୀଙ୍କ ଜୟନ୍ତୀ। ବର୍ତ୍ତମାନର ପାକିସ୍ତାନରେ ଥିବା ତାଲୱାଣ୍ଡିରେ ଜନ୍ମଗ୍ରହଣ କରିଥିଲେ ଗୁରୁ ନାନକ।ଭାରତୀୟ ମହାନ୍ ସନ୍ଥଙ୍କ ମଧ୍ୟରେ ସେ ଅନ୍ୟତମ। ଏକଦା ନାନକ ନିଜ ଶିଷ୍ୟମାନଙ୍କୁ ନେଇ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରୁଥିଲେ। ଦାଢି ଥିବାରୁ ସେବକମାନେ ତାଙ୍କୁ ଯବନ ଭାବିଲେ। ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ଦେଲେନାହିଁ। ନିରାକାର ପରଂବ୍ରହ୍ମଙ୍କ ଦର୍ଶନରେ ବାଧା ହୋଇଥିବାରୁ ସେ ଅଭିମାନ କଲେ। ବଡଦାଣ୍ଡ ଛାଡି ସମୁଦ୍ର କୂଳରେ ଧ୍ୟାନସ୍ଥ ହେଲେ। ମଣିମା ମହାପ୍ରଭୁ କୃପା କଲେ। ରତ୍ନଥାଳି ଶୂନ୍ୟରେ ଉଡି ନାନକଙ୍କ ମଥା ଉପରେ ବୁଲିଲା। ବ୍ରହ୍ମ ସବୁଠି ବିଦ୍ୟମାନ ଏ କଥା ପ୍ରମାଣିତ କରିବାକୁ ନାନକଙ୍କ ହାତ ପାପୁଲିରେ କାଳିଆ ସାଆନ୍ତ ଦର୍ଶନ ଦେଲେ। ଗଜପତି ଜମି ଖଞ୍ଜା ଦେଲେ। ନାନକ ଦେବଙ୍କୁ ମହାପ୍ରଭୁଙ୍କ ଭକ୍ତର ଆକ୍ଷା ମିଳିଲା। ଯାହା ଏବେ ବାଉଳୀ ମଠ ନାମରେ ଶ୍ରୀକ୍ଷେତ୍ରରେ ସ୍ଥାପିତ ହୋଇଛି। ଗୁରୁ ଗ୍ରନ୍ଥ ସାହିବ ସହ ମହାପ୍ରଭୁ ଜଗନ୍ନାଥଙ୍କ ଦାରୁ ବିଗ୍ରହ ଏକତ୍ର ପୂଜିତ ହେଉଛି।
ଗୁରୁ ନାନକ ଦେବଙ୍କ ପିତାଙ୍କ ନାମ ମେହେଟା କାଲୁ ଏବଂ ମାତାଙ୍କ ନାମ ତୃପ୍ତି ଦେବୀ। ନାନକ ଦେବ ଜୀଙ୍କର ଭଉଣୀର ନାମ ନାନାକି ଥିଲା। ନାନକ ଜୀଙ୍କର ଜନ୍ମ ପରେ ତାଲୱାଣ୍ଡିର ନାମ ନାନକାନା ହୋଇଥିଲା। ବର୍ତ୍ତମାନ ଏହି ସ୍ଥାନ ପାକିସ୍ତାନରେ ଅଛି | ଗୁରୁ ନାନକ ଏକ ହିନ୍ଦୁ ପରିବାରରେ ଜନ୍ମ ହୋଇଥିଲେ କିନ୍ତୁ ସେ ସର୍ବଦା ବିଶ୍ୱାସ କରୁଥିଲେ ଯେ ସେ ନା ହିନ୍ଦୁ କିମ୍ବା ମୁସଲମାନ। ନିରାକାର ବ୍ରହ୍ମଙ୍କ ଉପାସନା ତାଙ୍କର ପରମ ଧର୍ମ।
ଯେତେବେଳେ ନାନକ ବଡ ହେଲେ, ତାଙ୍କୁ ଅଧ୍ୟୟନ ପାଇଁ ବିଦ୍ୟାଳୟକୁ ପଠାଗଲା। ତାଙ୍କର ଅନ୍ତର୍ନିହିତ ବୁଦ୍ଧି ଅତ୍ୟନ୍ତ ତୀକ୍ଷ୍ଣ ଥିଲା। ବେଳେବେଳେ ସେ ତାଙ୍କ ଶିକ୍ଷକମାନଙ୍କୁ ଅଜବ ପ୍ରଶ୍ନ ପଚାରଥିଲେ। ଗୋଟିଏ ଦିନ ଶିକ୍ଷକ ନାନକଙ୍କୁ ବୋର୍ଡରେ 'ଅ' ଲେଖିବାକୁ କହିଲେ। ବାଳକ ନାନକ ‘ଅ’ ଲେଖିଦେଇ ଗୁରୁଜୀଙ୍କୁ ପ୍ରଶ୍ନ ପଚାରିଲେ ! 'ଅ' ର ଅର୍ଥ କ’ଣ ? ଏହା ଶୁଣି ଗୁରୁଜୀ ଚକିତ ହୋଇଥିଲେ।ପିଲାଟିବେଳକୁ ତାଙ୍କ ବୁଦ୍ଧିମତା ସମସ୍ତଙ୍କୁ ଚମତକୃତ କରୁଥିଲେ। ଯାହା ଦର୍ଶାଇ ଦେଇଥିଲା, ଯେ ଏହି ବାଳକ ଦିନେ ଆଧ୍ୟାତ୍ମ ଭାରତର ଆଲୋକ ବର୍ତ୍ତିକା ହେବେ।
ଅଧିକ ପଢନ୍ତୁ :ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା