ପରିଚାଳନା କମିଟିର ବଡ଼ ନିଷ୍ପତି, ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର
Khabar Odisha:Big-Decision-Of-Srimandir-Committee

ପୁରୀ, ଅଗଷ୍ଟ ୨୬ (ଖବର ଓଡ଼ିଶା): ଆଜି ନୂତନ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରତମ ବୈଠକ ବସିଥିଲା । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ ଆଜିର ବୈଠକରେ ଅନେକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ।

ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ସେବାରେ ନିୟୋଜିତ ଥିବା ସମସ୍ତ ସେବାୟତମାନଙ୍କୁ ଘର ଯୋଗାଇ ଦେବାକୁ ବୈଠକରେ ନିଷ୍ପତି ହୋଇଛି । ପ୍ରଥମ ପର୍ଯ୍ୟାୟରେ ୪ ଶହ ସେବାୟତ ପରିବାରଙ୍କୁ ଘର ଯୋଗାଇ ଦେବା ପାଇଁ ସେବାୟତ ମାନଙ୍କ ଠାରୁ ଆବେଦନ ପତ୍ର ଆହ୍ୱାନ କରାଯାଇଛି ।

ପ୍ରତି ସେବାୟତ ପରିବାରଙ୍କୁ ୬ଶହ ବର୍ଗଫୁଟରେ ଘର ପାଇଁ ପ୍ଲଟ୍ ମିଳିବ । ଏଥିପାଇଁ ପୁରୀରେ ୮ ଏକର ଜମିରେ ବ୍ୟବସ୍ଥା କରାଯାଇଛି । ଏହା ସହ ସେବାୟତ ମାନଙ୍କୁ ଘର ତିଆରି କରିବା ପାଇଁ ୨ ଲକ୍ଷ ଟଙ୍କା ମଧ୍ୟ ଯୋଗାଇଦିଆଯିବ ବୋଲି ଆଜି ବୈଠକରେ ନିଷ୍ପତି ହୋଇଛି ।

ଅନ୍ୟପଟେ ନିଆଯାଇଥିବା ଆଉ ଏକ ବଡ଼ ନିଷ୍ପତି ହେଲା ଆସନ୍ତା ଶିକ୍ଷାବର୍ଷ ଠାରୁ ଶ୍ରୀମନ୍ଦିର ଗୁରୁକୁଳ ଆରମ୍ଭ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ଗୁରୁକୁଳ ସୋସାଇଟି ମଧ୍ୟ ଗଠନ କରାଯିବ । ଏଥିସହିତ ସୋସାଇଟିର ଅଧ୍ୟକ୍ଷ ଭାବରେ ଗଜପତି ମହାରାଜ ଓ ବିଶିଷ୍ଟ ବ୍ୟକ୍ତିମାନେ ରହିବେ ବୋଲି ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି ।

ତେବେ ମାଟିତୋଟାରେ ପ୍ରାୟ ୧୭ ଏକର ଜମିରେ ଗୁରୁକୁଳ ତିଆରି କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ଏଥିପାଇଁ ଖର୍ଚ୍ଚ ହେବାକୁ ଥିବା ସମସ୍ତ ପାଣ୍ଠି ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । 

ଏହା ସହିତ ଶ୍ରୀମନ୍ଦିର ମରାମତି ତଥା ସଂରକ୍ଷଣ ପାଇଁ ୫ ବର୍ଷିଆ ପ୍ଲାନର ଯୋଜନା କରାଯାଇଛି । ୫ ବର୍ଷ ପାଇଁ ମରାମତି କାର୍ଯ୍ୟ ଓ ସଂରକ୍ଷଣ କାର୍ଯ୍ୟ ପାଇଁ ଏଏସଆଇ ଠାରୁ ପ୍ଲାନ୍ ଆହ୍ୱାନ କରାଯିବ । ଏହା ବାବଦରେ ମନ୍ଦିର ପ୍ରଶାସନ ଓ ଏଏସଆଇ କମିଟି ମିଳିତ ଭାବରେ ନିଷ୍ପତି ନେବେ । ୫ ବର୍ଷ ମଧ୍ୟ ଶ୍ରୀମନ୍ଦିର ସଂରକ୍ଷଣ ପାଇଁ ଅଧିକ ଅର୍ଥ ଆବଶ୍ୟକ ପଡିଲେ ରାଜ୍ୟ ସରକାର ସେ ବାବଦକୁ ଖର୍ଚ୍ଚ ବହନ କରିବେ ବୋଲି ଜଣାପଡିଛି ।

ଅନ୍ୟପଟେ ରଥ ଚକ ପାଇଁ ମଧ୍ୟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ରଥ ଯାତ୍ରା ପରେ ଏଣିକି ମାଗଣାରେ ଭକ୍ତ ତଥା ଶ୍ରଦ୍ଧାଳୁ ମାନଙ୍କୁ ଦିଆଯିବ ରଥ ଚକ । ଏଥିପାଇଁ ସ୍ୱତନ୍ତ୍ର ଭାବରେ ଏକ ସବ୍ କମିଟି ଗଠନ କରାଯିବ । 

ଏହି କମିଟି ଦ୍ୱାରା କେଉଁ ବ୍ୟକ୍ତି ତଥା କେଉଁ ଅନୁଷ୍ଠାନକୁ ରଥ ଚକ ଦିଆଯିବ ତାହା ସ୍ଥିର କରାଯିବ । ଅଧିକ ଲୋକ ରଥ ଚକ ନେବା ପାଇଁ ଆଗ୍ରହୀ ହେଲେ ଲଟେରୀ ବ୍ୟବସ୍ଥା କରାଯିବ ବୋଲି ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

  • Tags:

Subscribe

National International State Sports Entertainment