କୁମାର ପୂର୍ଣ୍ଣିମାକୁ ମୁଖ୍ୟତଃ କୁମାରୀ କନ୍ୟାମାନଙ୍କର ପର୍ବ ରୂପେ ବିବେଚନା କରାଯାଏ । ଏହି ଦିନ କୁମାରୀମାନେ ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସହ ଚନ୍ଦ୍ର ପୂଜା ମଧ୍ୟ କରିଥାନ୍ତି । ଏହା ସହ ସେମାନେ ସନ୍ଧ୍ୟା ସମୟରେ ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ କରିଥାନ୍ତି । ପୁରାଣରେ ବର୍ଣ୍ଣିତ ଅଛି ଯେ ତୁଳସୀ ଦେବୀ ଜଣେ ପରମ ପତିବ୍ରତା ନାରୀ ଥିଲେ । ତାଙ୍କର ପତିବ୍ରତା ଗୁଣ ଯୋଗୁଁ ହିଁ ତାଙ୍କୁ ବୃକ୍ଷ ରୂପରେ ପୂଜା ପାଇବାର ବର ମିଳିଥିଲା । ଯୁଗେ ଯୁଗେ କୁମାରୀମାନେ ଉତ୍ତମ ବର ପାଇବା ପାଇଁ ଓ ବିବାହିତା ନାରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି ପାଇଁ ଚଉରା ପୂଜା କରି ଆସିଛନ୍ତି । ତେଣୁ କୁମାର ପୂର୍ଣିମାରେ ମଧ୍ୟ ଚଉରା ପୂଜା କରାଯାଇଥାଏ ।
ଏହିଦିନ ଜଗନ୍ମାତା ମା’ ଲକ୍ଷ୍ମୀଦେବୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ବା କୋଜାଗାର ଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ ।ଏହିପର୍ବ ଓଡ଼ିଶାର ଘରେ ଘରେ ପାଳିତ ହୁଏ ଏବଂ ଏ ଦିନ ଓଡ଼ିଶାବାସୀ ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ପୌରୁଷ କାମନା କରିଥାନ୍ତି । କୁମାର ପୂର୍ଣ୍ଣମୀ ଅବସରରେ ପାଳିତ ହେଉଥିବା ଜହ୍ନି ଓଷା ଏକ ସକାମ ବ୍ରତ । ରୋଗରୁ ମୁକ୍ତ ଓ ଧନପ୍ରାପ୍ତ ଉଭୟ କାମନାର ପରିପୂରଣ ପାଇଁ ଏ ଓଷା ପାଳନ । ଲକ୍ଷ୍ମୀବ୍ରତ ଐଶ୍ୱର୍ଯ୍ୟପ୍ରାପ୍ତିର କାମନାରେ ପାଳିତ ହୋଇଥାଏ ।
ଏଥର କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଲାଗୁଛି । ତେଣୁ କୁମାର ଉତ୍ସବ ଚନ୍ଦ୍ରପୂଜା ଏବଂ ଆଞ୍ଜୁଳି ଟେକିବାକୁ ନେଇ ଦ୍ୱନ୍ଦ ଲାଗି ରହିଛି । ସେହିପରି କୁମାର ପୂର୍ଣ୍ଣିମାରୁ ଆରମ୍ଭ ହେଉଥିବା ଲକ୍ଷ୍ମୀ ପୂଜା କିଭଳି କରାଯିବ ସେ ନେଇ ମଧ୍ୟ ନାନା ମତ ପ୍ରକାଶ ପାଇଛି ।
ପାଞ୍ଜି ଗଣନାକାରୀଙ୍କ ମତ ଅନୁସାରେ ସକାଳ ୫ ଟାରୁ ୫.୩୦ ମଧ୍ୟରେ ଆଞ୍ଜୁଳି ଟେକିବା ସମୟ ରହିଛି ଏବଂ ଅପରାହ୍ନ ୪ଟା ୫ ମିନିଟ୍ ପୂର୍ବରୁ କୁମାରୀମାନେ ଚାନ୍ଦ ପୂଜା କରିପାରିବେ । ଏମିତିକି ବିଭିନ୍ନ ପୂଜା ମଣ୍ଡପରେ ଲକ୍ଷ୍ମୀ ପୂଜା ନୀତି ମଧ୍ୟ ଏହି ସମୟ ପୂର୍ବରୁ ଶେଷ କରିବାକୁ ପରାମର୍ଶ ଦିଆଯାଇଛି ।
ସେହିପରି କୁମାରପୂର୍ଣ୍ଣିମାର ଠିକ୍ ପରଦିନ ହବିଷ୍ୟାଳୀ ମାନେ ବ୍ରତ ସଙ୍କଳ୍ପ କରିବେ ଓ ସେହିଦିନ ଚକ୍ରରାଜ ସୁଦର୍ଶନ ମହାପ୍ରଭୁ ଚାରିଆଶ୍ରମ ବିଜେ କରିବେ । ୬ଟି ରାଶି ପାଇଁ ଏହି ଗ୍ରହଣ ଶୁଭ ଥିବାବେଳେ ୬ଟି ରାଶି ପାଇଁ ଅଶୁଭ ବୋଲି ଜ୍ୟୋତିର୍ବିଦ କହିଛନ୍ତି । ମିଥୁନ, ବିଛା, ଧନୁ , ମକର, କୁମ୍ଭ ଓ ମୀନ ପାଇଁ ଏହି ଗ୍ରହଣ ଶୁଭ ହୋଇଥିବା ବେଳେ ମେଷ, ବୃଷ, କର୍କଟ, ସିଂହ, କନ୍ୟା ଓ ତୁଳା ପାଇଁ ଏହା ଅଶୁଭ ବୋଲି ଜ୍ୟୋତିର୍ବିଦ କହିଛନ୍ତି ।
ଅଧିକ ପଢନ୍ତୁ :ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ ଗୁଣ ଯାହା ସମାଜକୁ ଦିଗଦର୍ଶନ ଦେଖାଏ